
୫ମ ସାହିତ୍ୟ - ୧ମ ବିଷୟ
"ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର (ପଦ୍ୟ)"
ରଚନା: ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ
ସେକାଳେ ଭୋଗୁଥିଲୁ କେତେ ଯେ ଆମେ କ୍ଲେଶ ।
ସ୍ଵାଧୀନ ଆଜି ଆମେ କାହାକୁ ନାହିଁ ଡର,
ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର ॥ (୧)
ଏଣିକି ଭଲ ଯାହା କରିବୁ ସେହି କାମ,
ଜାତିର ଇତିହାସେ ରହିବ ଆମ ନାମ ।
କର୍ତ୍ତବ୍ୟ-ପଥ ଧରି ହୋଇବୁ ଅଗ୍ରସର,
ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର ॥ (୨)
ଭୋକିଲା ହୋଇ ଆଉ ରହିବେ ନାହିଁ କେହି,
ରଖିବୁ ଜାତି ଟେକ ନିଜକୁ ବଳି ଦେଇ ।
ସ୍ଵଦେଶ ସେବା ବ୍ରତ କରିବୁ ଜୀବନର,
ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର ॥ (୩)
ଅଛୁଆଁ ନୁହେଁ କେହି ସଭିଏଁ ଭାଇ ଆମ,
ସଭିଙ୍କ ହିତ ପାଇଁ କରିବୁ ଆମେ କାମ ।
ସମସ୍ତେ ଆପଣାର ଜଣେ କେ ନୁହେଁ ପର,
ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର ॥ (୪)
ଦେଶରେ ଖୋଲିଦେବୁ ବିବିଧ କାରଖାନା,
ଯେପରି ଉତପନ୍ନ ହୋଇବ ଦ୍ରବ୍ୟ ନାନା ।
ଗଢ଼ି ଉଠିବେ ପୁଣି ଅସଂଖ୍ୟ କାରିଗର,
ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର ॥ (୫)
ଆମେ ଯେ ବୀର ଜାତି ନୋଇଁବୁ ନାହିଁ ମଥା,
କରିବୁ ପ୍ରାଣ ଦେଇ କହିବୁ ଯେଉଁ କଥା ।
ମରତେ ଖେଳାଇବୁ ସୁଷମା ସରଗର,
ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର ॥ (୬)
ଜ୍ଞାନ ବିଜ୍ଞାନେ ଆମେ ନୋହିବୁ କାହା ପଛ,
ପ୍ରତିଜ୍ଞା କର ଭାଇ, ଯେଉଁଠି ଯିଏ ଅଛ ।
କୋଟି ଯେ କୋଟି ଆମେ ସନ୍ତାନ ଭାରତର,
ଜାତୀୟ ଧ୍ୱଜା ଆମ ଉଡ଼ଇ ଫରଫର ॥ (୭)
No comments:
Post a Comment