Recent Posts

"ରେଳ ଉପରେ ଚିଲିକା ଦର୍ଶନ" - ଉତ୍କଳମଣୀ ଗୋପବନ୍ଧୁ ଦାସ (ପୁରୁଣା ପାଠ୍ୟପୁସ୍ତକ କବିତା) - ପଢନ୍ତୁ ଓଡ଼ିଆରେ

May 27, 2018
Class 1 to 10 All School eText Book, 80s-90s Old School Books, College Text Books, 250+ Janhamamu Magazine, Nijukti Khabar, Sishulekha Magazines Now Available on our new "Odia Pathagara" App.
Please Install from Playstore. Click the button to Install for Free!
Download (APP)
"ରେଳ ଉପରେ ଚିଲିକା ଦର୍ଶନ" - ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରଚିତ ଏକ ଲୋକପ୍ରିୟ କବିତା । ଏହା କବିଙ୍କ "ଅବକାଶ ଚିନ୍ତା" କାବ୍ୟରୁ ଉଦ୍ଧୃତ । ରହ ରହ କ୍ଷଣେ ବାଷ୍ପୀୟଶକଟ, ଦେଖିବି ଚିଲିକା ଚାରୁ ଚିତ୍ରପଟ । ଚିତ୍ର ମଣେ ଯେଣୁ ନାହିଁ ଅନୁଭବ, ବାସ୍ତବ ବିଶ୍ବେ କି ଏ ଛବି ସମ୍ଭବ ? Rela upare chilika darsan by gopabandhu das from Abakasa chinta
"ରେଳ ଉପରେ ଚିଲିକା ଦର୍ଶନ" - ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ରଚିତ ଏକ ଲୋକପ୍ରିୟ କବିତା । ଏହା କବିଙ୍କ "ଅବକାଶ ଚିନ୍ତା" କାବ୍ୟରୁ ଉଦ୍ଧୃତ ।

"ରେଳ ଉପରେ ଚିଲିକା ଦର୍ଶନ"
ରଚନା: ଉତ୍କଳମଣି ଗୋପବନ୍ଧୁ ଦାସ

ରହ ରହ କ୍ଷଣେ ବାଷ୍ପୀୟଶକଟ,
ଦେଖିବି ଚିଲିକା ଚାରୁ ଚିତ୍ରପଟ ।
ଚିତ୍ର ମଣେ ଯେଣୁ ନାହିଁ ଅନୁଭବ,
ବାସ୍ତବ ବିଶ୍ବେ କି ଏ ଛବି ସମ୍ଭବ ?

ନୀଳ ବୀଚିମାଳା ଧୀରେ ଧୀରେ ଯାଏ,
ଲାଗଇ ସ୍ବପନେ ଦେଖିଲା ପରାଏ ।
ସନ୍ତରନ୍ତି ବକ୍ଷେ ପକ୍ଷୀ ଦଳ ଦଳ,
ଓଲଟିଣ ତଳେ ଦିଶନ୍ତି ଯୁଗଳ ।

ଘୋର ନାଦେ ଯହୁଁ ଉଠିଲେ ସେ ନଭେ,
ଉଠେ ଶତ ଖଗ ଚିଲିକା-ଗରଭେ ।
ସତ୍ୟ ବୋଲି ମନେ ନ ହେଉ ପ୍ରତୀତ,
ପଲକେ ସେ ଦୃଶ୍ୟ ହୁଏ ତିରୋହିତ ।

ଦୂରେ ଘେନିଯାଏ ନିଦାରୁଣ ଯାନ,
ଆସେ ପୁଣି ତରୁ ଶିଳା ବ୍ୟବଧାନ ।
ନିମିଷେ ଲୁଚାଏ ନିମିଷେ ଦେଖାଏ,
ସ୍ବପ୍ନଲଭ୍ୟ ପ୍ରିୟ ପ୍ରତିମା ପରାଏ ।

କାହିଁ ଦିଶେ ନୀଳ କାହିଁ ସୁଶ୍ୟାମଳ,
କାହିଁ ବା ଧୂସର କାହିଁବା ଧବଳ ।
ନାନା ସ୍ଥାନେ ନାନା ରଙ୍ଗେ ଦୀର୍ଘକାୟା,
ପ୍ରକାଶି ଚିଲିକା କରୁ କେତେ ମାୟା ।

ଦେବୀ ବୀଣାପାଣି ଶାଶ୍ବତ ସେବକ
କବି ରାଧାନାଥ ସୁଷମା-ଗ୍ରାହକ,
ଭ୍ରମି ବହୁ ସ୍ଥାନ ବିଶାଳ ଭାରତେ,
ବହୁ ନଦୀ ମରୁ କାନନ ପର୍ବତେ,
ଦେଖିଲେ ପ୍ରକୃତି ବିବିଧ ପ୍ରକାଶ
କିନ୍ତୁ ଶୋଭାଲୁବ୍ଧ ଶୁଦ୍ଧ ଅଭିଳାଷ ।

ସୁଖ-ଶାନ୍ତି-ପ୍ରୀତି କାହିଁ ଏକାଧାରେ
ନ ପାଇଲେ ଯଥା ମିଳେ ତୋହଠାରେ ।
ଉତ୍କଳର ତୁହି ସୌନ୍ଦର୍ଯ୍ୟର ଖଣି,
ସାରସ୍ବତ ନେତ୍ରେ ବାଛି ତହୁଁ ମଣି ।

ସୁଦକ୍ଷ ବିନ୍ଧାଣି ରଚି ଯେଉଁ ହାର
ଅର୍ପିଲେ ଉତ୍କଳ ଭାରତୀ ଗଳାର,
ଚିରଦିନ ତାହା ରାଜିବ ରୁଚିର,
ତା ଦେଖି ଭାବୁକେ ଲୋଡ଼ିବେ ତୋ ତୀର ।

ମୁଁ ଅଧମ ମୋର ଭାବୁକତା ନାହିଁ
ତଥାପି ଏ ପ୍ରାଣ କେ ଜାଣେ କିପାଇଁ ।
ନିରନ୍ତର ଲୋଡ଼େ ସୌନ୍ଦର୍ଯ୍ୟ ବ୍ୟାକୁଳେ,
ତେଣୁ ଭାବିଥିଲି ଆସି ତୋର କୂଳେ
ଦେଖିବି ତୋ ଶୋଭା ଦିନେ ନିକାଞ୍ଚନେ,
କର୍ମ-ବନ୍ଧେ ଥିଲା ମନ କଥା ମନେ,
ଏତେକାଳ ଅନ୍ତେ ପଡ଼ିଥିଲା ଯୋଗ,
ଆହା ସେ ସୁଯୋଗ ହେଲା କାହିଁ ଭୋଗ !

ରହିଣ ଜଞ୍ଜାଳ ବିଷମ ଜଗତେ,
ସଂସାରୀ ସୋଦର ବାନ୍ଧବ ସଙ୍ଗତେ ।
ଇଚ୍ଛାମତେ କାହୁଁ ଚଳିବ ବା ଜନ ?
ସମାଜେ ନିଜର ନୁହେଁ ନିଜ ମନ ।

ବସି କେତେଥର ନୀରବ ବିଜନେ
ଦେଖିଛି ତୋ ରୂପ କଳ୍ପନା-ନୟନେ ।
ତୋ ନୀଳ ତରଙ୍ଗେ ଖେଳେ ନିରନ୍ତର,
ଅନୁପମ ଦିବ୍ୟ ହିରଣ୍ମୟ କର ।

ଚାରୁ ଶକ୍ରଚାପ ତୋର ବକ୍ଷସ୍ଥଳେ,
ନାଚେ ଶତ ଶତ ମୋ କଳ୍ପନା ବଳେ ।
କଳ୍ପନା ଚିତ୍ରିତ ତୋ ସୁନ୍ଦର ତନୁ,
କାଳେ କାଳେ ଆଉ ନ ଯିବ ମୋ ମନୁ ।

ଆଜି ଲୋ ଚିଲିକା କଳ୍ପନା ପ୍ରଭାବେ
ପୂରଇ ମୋ ମନ ଆହା କେତେ ଭାବେ ।
ଅତୀତର ସୁଖ ସ୍ମୃତି ସମୁଚ୍ଚୟ,
ହର୍ଷ-ଖେଦେ କରେ ଆକୁଳ ହୃଦୟ ।

ତୋ ମଧୁର ନାମେ ରହିଛି ଜଡ଼ିତ,
ଗଉରବାନ୍ବିତ ଉତ୍କଳ-ଅତୀତ ।
କାହିଁ ଉତ୍କଳର ସେ ସୁକୃତରାଶି ?
ଯାହାର ପ୍ରଭାବେ ପ୍ରଭୁ ବ୍ରହ୍ମରାଶି,
ନିଜେ ନିରଞ୍ଜନ ଜଗତ-ଈଶ୍ବର,
ଧରିଣ ସୈନିକ ନର କଳେବର,
ଉତ୍କଳର ଯଶଃ ପ୍ରତିଷ୍ଠା ରକ୍ଷଣେ,
ବିଜେ କଲେ ଘୋର ସମର-ପ୍ରାଙ୍ଗଣେ ।

କାହିଁ ସେ ସୌଭାଗ୍ୟ କାହିଁ ସେ ସୁକୃତ
ପବିତ୍ର ଉତ୍କଳ ଆଜି କି ବିକୃତ ?
ଆର୍ଯ୍ୟ ଧର୍ମକ୍ଷେତ୍ର ପୂତ ନୀଳାଚଳ
ହରାଇଛି ସବୁ କର୍ମ-ଧର୍ମ-ବଳ ।

ନାହିଁ ମୁଖେ ତେଣୁ ପୂର୍ବ ଧର୍ମକାନ୍ତି,
ହୃଦୟେ ସ୍ବର୍ଗୀୟ ଧର୍ମଜାତ ଶାନ୍ତି ।
ଜୀବନେ ପବିତ୍ର ଉତ୍ସାହ ଶକତି,
ଉତ୍କଳର ଆହା କି ଘୋର ଦୁର୍ଗତି !

କାହିଁ ଗଲା ପୂର୍ବ ଓଡ଼ିଆ ବୋଇତ ?
କାହିଁ ସେ ନାବିକ କର୍କଶ ସଙ୍ଗୀତ ?
ଜଳପଥେ କାହିଁ ବିଦେଶ ଗମନ ?
କାହିଁ ପୂର୍ବ ଖ୍ୟାତି କାହିଁ ପୂର୍ବ ଧନ ?
କଥାରେ ରହିଛି ସବୁ ଆଜିଯାଏ,
ସାଧବାଣୀ ବୋହୂ ବୋଇତ ବନ୍ଦାଏ ।

କଙ୍କରିତ ତୋର ଦୃଢ଼ ରମ୍ୟ ତଟ,
ଦୁର୍ଗମ ଶଇଳ ଅଭେଦ୍ୟ ସଙ୍କଟ ।
ଖେଳାଉଥିଲେ ଯେ ଧରି ନିଜ ଦେହେ,
ଉତ୍କଳର କେତେ ବୀର ଶିଶୁ ସ୍ନେହେ ।

ଅଛି ସେହି ଗିରି ଅଛି ସେ ବିପିନ,
ଅଛି ତୋର ଶିଳା ସୁଦୃଢ଼ ପୁଳିନ ।
କିନ୍ତୁ କାହିଁ ଆହା ଏବେ ସେ ବୀରତା ?
ଓଡ଼ିଆ ଜାତିର ପୂର୍ବ ଜାତୀୟତା ?

No comments:

Post a Comment