Recent Posts

"ଶୁଖିଲା ପତ୍ରର କଥା" - ୫ମ ସାହିତ୍ୟ (୩ୟ ଅଧ୍ୟାୟ) - ବିଷୟ, ଶବ୍ଦାର୍ଥ ଓ ଉତ୍ତରମାଳା

February 2, 2018
Class 1 to 10 All School eText Book, 80s-90s Old School Books, College Text Books, 250+ Janhamamu Magazine, Nijukti Khabar, Sishulekha Magazines Now Available on our new "Odia Pathagara" App.
Please Install from Playstore. Click the button to Install for Free!
Download (APP)
"ଶୁଖିଲା ପତ୍ରର କଥା" - ୫ମ ସାହିତ୍ୟ - ବିଷୟ, ଶବ୍ଦାର୍ଥ ଓ ଉତ୍ତରମାଳା, Sukhila Patrara Katha, By Nanda Kishore Singh, Odia medium 5th class opepa books scert odisha books, odiaportal

୫ମ ସାହିତ୍ୟ - ୩ୟ ଅଧ୍ୟାୟ
"ଶୁଖିଲା ପତ୍ରର କଥା"
ରଚନା : ନନ୍ଦକିଶୋର ସିଂହ
                   ପୂର୍ବକାଳରେ ଶିଷ୍ୟମାନେ ଗୁରୁଙ୍କ ଆଶ୍ରମରେ ରହି ବେଦଉପନିଷଦଆଦି ନାନାବିଧ ଶାସ୍ତ୍ର ଅଧ୍ୟୟନ କରୁଥିଲେ । ଶାସ୍ତ୍ର ଅଧ୍ୟୟନ ସହିତ ଆଶ୍ରମରେ ହୋମ ପାଇଁ ସମିଧ ସଂଗ୍ରହ କରିବା, ଆଶ୍ରମର ଗାଈଗୋରୁଙ୍କୁ ନେଇ ନିକଟବର୍ତ୍ତୀ ଜଙ୍ଗଲରେ ଚରାଇବା, ଆଶ୍ରମବାସୀଙ୍କ ନିମନ୍ତେ ଫଳମୂଳ ସଂଗ୍ରହ କରିବା ଇତ୍ୟାଦି କାର୍ଯ୍ୟ ମଧ୍ୟ କରୁଥିଲେ । ଏହାକୁ ଗୁରୁକୁଳ ଶିକ୍ଷା କୁହାଯାଉଥିଲା । ଶିକ୍ଷା ସମାପନ ପରେ ଶିଷ୍ୟମାନେ ଗୁରୁଙ୍କୁ ଦକ୍ଷିଣା  ଦେଉଥିଲେ ।

                      ସେହିପରି ଏକ ଗୁରୁକୁଳରେ ଶିକ୍ଷା ଲାଭ କରୁଥିଲେ ଦୁଇଜଣ ଶିଷ୍ୟ । ଜଣକର ନାମ ଶିଶିର ଓ ଅନ୍ୟ ଜଣଙ୍କ ନାମ ତୁଷାର । ଯଥାସମୟରେ ସେମାନଙ୍କର ଗୁରୁକୁଳ ଶିକ୍ଷା ଶେଷ ହେଲା । ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଶିଶିର ଓ ତୁଷାର ଗୁରୁଙ୍କୁ ସାକ୍ଷାତ୍ କଲେ । ଗୁରୁଦକ୍ଷିଣା ଦେବା ପାଇଁ ନିଜ ନିଜର ଅଭିଳାଷ ଜଣାଇଲେ । ଶିଷ୍ୟ ଦୁହିଁଙ୍କର ନିଷ୍ଠାରେ ଗୁରୁ ଅତ୍ୟନ୍ତ ସନ୍ତୁଷ୍ଟ ଥିଲେ । ସେମାନଙ୍କ ପାଖରୁ କୌଣସି ଦକ୍ଷିଣା ଗ୍ରହଣ କରିବା ପାଇଁ ଗୁରୁ ଅନିଚ୍ଛା ପ୍ରକାଶ କଲେ । ଏଥିରେ ଶିଷ୍ୟ ଦୁହିଁଙ୍କର ମନ ବୁଝିଲା ନାହିଁ । ଗୁରୁଦକ୍ଷିଣା ନ ଦେଇ ଗୁରୁକୁଳରୁ ବିଦାୟ ନେବେ କିପରି ? ତେଣୁ କିଛି ହେଲେ ଦକ୍ଷିଣା ଗ୍ରହଣ କରିବା ପାଇଁ ସେମାନେ ଗୁରୁଙ୍କୁ ଅନୁରୋଧ କଲେ । ଶିଷ୍ୟ ଦୁହିଁଙ୍କ କଥାକୁ ଗୁରୁ ଏଡ଼ାଇ ପାରିଲେ ନାହିଁ । କିଛି ସମୟ ଚିନ୍ତା କରି କହିଲେ, “ଠିକ୍ ଅଛି, ତୁମେ ଦୁହେଁ ଯଦି ମୋତେ ଦକ୍ଷିଣା ଦେବା ନିମିତ୍ତ ଏତେ ଆଗ୍ରହୀ, ତେବେ କେତୋଟି ଶୁଖିଲା ପତ୍ର ଦକ୍ଷିଣାସ୍ଵରୂପ ଆଣି ମୋତେ ଦିଅ । କିନ୍ତୁ ମନେରଖ, ଏମିତି ପତ୍ର ଆଣିବ ଯାହାକି ଅନ୍ୟ କାହାର ଦରକାରରେ ଆସୁ ନଥିବ ।”

                   ଗୁରୁଙ୍କ ମୁହଁରୁ ଏକଥା ଶୁଣି ତୁଷାର ଓ ଶିଶିର ବିସ୍ମିତ ହେଲେ । ସେମାନେ ଭାବିଲେ, ଗୁରୁ ଟଙ୍କା ସୁନା ନ ମାଗି ସାମାନ୍ୟ ଶୁଖିଲା ପତ୍ର କେତୋଟି ଦକ୍ଷିଣା ଭାବରେ ମାଗିବାର ତାତ୍ପର୍ଯ୍ୟ କ'ଣ ହୋଇପାରେ । ଗୁରୁଙ୍କ ଆଜ୍ଞା ପାଳନ କରିବା ତ ତାଙ୍କର ପରମ କର୍ତ୍ତବ୍ୟ । ତେଣୁ ବିଳମ୍ବ ନ କରି ଦୁହେଁ ଅଦରକାରୀ ଶୁଖିଲା ପତ୍ର ସନ୍ଧାନରେ ବାହାରିଲେ । କିଛି ବାଟ ଅତିକ୍ରମ କରିବା ପରେ ସେମାନେ ଗୋଟାଏ ବିରାଟ ଆମ୍ବତୋଟାରେ ପହଞ୍ଚିଲେ । ଦେଖିଲେ ଶୁଖିଲା ପତ୍ର ସବୁ ଗଦାଗଦା ହୋଇ ରଖାଯାଇଛି । ତୁଷାର ଓ ଶିଶିର ସେହି ପତ୍ର ଗଦାରୁ କିଛି ଆଣିବାକୁ ଯିବାରୁ ଅଳ୍ପ ଦୂରରେ ଥିବା ବୁଢ଼ୀଟିଏ ଧଇଁସଇଁ ହୋଇ ଆସି ସେଠାରେ ପହଞ୍ଚିଗଲା । କହିଲା, “ପୁଅ, ମୁଁ ବହୁକଷ୍ଟରେ ଖରକାଖରକି କରି ଏହି ପତ୍ରଗୁଡ଼ିକୁ ଠୁଳ କରିଛି । ଏଗୁଡ଼ିକୁ ନେଇ ଜାଳ କରିବି । ଖୁଦମୁଠେ ଜାଉ କରି ଖାଇବି । ତୁମେ ଏ ଗଦାରୁ ପତ୍ର ନିଅନା । ବୁଢ଼ୀ ମଣିଷ ମୁଁ, ଆଉ ଦୂରକୁ ଯାଇ ପତ୍ର ସାଉଁଟି ଠୁଳ କରିପାରିବି ନାହିଁ ।

               ବୁଢ଼ୀଠାରୁ ଏକଥା ଶୁଣି ଦୁଇ ଶିଷ୍ୟ ସେଠାରୁ ବାହାରି ଅନ୍ୟତ୍ର ଚାଲିଲେ । କିଛି ଦୂର ଯାଇ ଦେଖିଲେ ଜଣେ ଲୋକ ଶୁଖିଲା ପତ୍ର ଏକାଠି କରୁଛି । ଶିଷ୍ୟ ଦୁହେଁ ତାକୁ ପଚାରିଲେ, “ଭାଇ, ଏ ପତ୍ର ତୁମର କି ଦରକାରରେ ଆସିବ ?" ଲୋକଟି କହିଲା, “ଏ ପତ୍ରକୁ ଜାଳି ପାଉଁଶ କରିଦେଲେ ଏହା ଭଲ ସାରରେ ପରିଣତ ହେବ । ସେହି ସାରକୁ କ୍ଷେତରେ ପକାଇଲେ ଭଲ ଫସଲ ଫଳିବ । ସେଇଥିପାଇଁ ତ ମୁଁ ଏ ପତ୍ରତକ ନେଉଛି ।

               ଲୋକଟି ମୁହଁରୁ ଏ କଥା ଶୁଣି ଦୁଇ ଶିଷ୍ୟ ପୁଣି ଆଗକୁ ଚାଲିଲେ । କିଛି ବାଟ ଯିବା ପରେ ଦେଖିଲେ ବୁଢ଼ାଟିଏ ଶୁଖିଲା ପତ୍ର ସାଉଁଟୁଛି । ବୁଢ଼ାକୁ ଦୁହେଁ ପଚାରିଲେ, “ମଉସା, ଏ ପତ୍ର ନେଇ ତୁମେ କ’ଣ କରିବ ?" ବୁଢ଼ାଟି କହିଲା, “ବାପା, ତୁମେ ଏ ପତ୍ରର ଗୁଣ ବୋଧହୁଏ ଜାଣନା । ଏହାକୁ ଗୁଣ୍ଡକରି ପାଣିରେ ଫୁଟାଇ ଛାଣି କରି ସେହି ଫୁଟାପାଣି ପିଇଲେ ସବୁପ୍ରକାର ଜର ଭଲ ହୋଇଯିବ । ଏହି ପତ୍ର ହେଉଛି ପୁରୁଣା ଜରର ଅବ୍ୟର୍ଥ ଔଷଧ ।

               ବୁଢ଼ା ପାଖରୁ ଏ କଥା ଶୁଣି ଶିଷ୍ୟ ଦୁହେଁ ସେଠାରୁ ମଧ୍ୟ ହତାଶ ହୋଇ ଫେରିଲେ । କାରଣ ଗୁରୁ ତ କହିଛନ୍ତି ଯେଉଁ ପତ୍ର କାହାର ଦରକାରରେ ଲାଗୁ ନ ଥିବ କେବଳ ସେହି ପତ୍ର ଆଣିବ । ସେମାନେ ଆଉ କିଛି ବାଟ ଆଗକୁ ଗଲେ, ଦେଖିଲେ ଝିଅଟିଏ ଶୁଖିଲା ପତ୍ର ଏକାଠି କରି ବିଡ଼ା ବାନ୍ଧୁଛି । ପତ୍ରତକ ତା’ର କି କାମରେ ଲାଗିବ ବୋଲି ପଚାରିବାରୁ ଝିଅଟି କହିଲା, “ଏହାକୁ ଘରକୁ ନେଇ ଏଥିରେ ଖଲି ଆଉ ଠୋଲା ତିଆରି କରିବି ତାହାକୁ ବିକ୍ରି କରି ମୋର ରୋଗିଣା ମା ପାଇଁ ଔଷଧ ଆଣିବି ।"


               ଝିଅଟିର କଥା ଶୁଣିବା ପରେ ଶିଶିର ଓ ତୁଷାର ସେଠାରୁ ଶୁଖିଲା ପତ୍ର ନ ନେଇ ଆଗକୁ ଚାଲିଲେ । ଜଙ୍ଗଲ ଭିତରେ ଗୋଟିଏ ଉଚ୍ଚା ଗଛ ମୂଳରେ କିଛି ଶୁଖିଲା ପତ୍ର ପଡ଼ିଥିବାର ସେମାନେ ଦେଖିଲେ । ସେଠାରୁ ପତ୍ର ନିଆଯାଇପାରେ ବୋଲି ଭାବିଲା ବେଳକୁ ଦେଖିଲେ ଚଢ଼େଇଟିଏ ପତ୍ର ପାଖକୁ ଉଡ଼ି ଆସିଲା । ଶୁଖିଲା ପତ୍ରଟିଏ ଥଣ୍ଟରେ ଧରି ପାଖରେ ଥିବା ଗଛ ଉପରକୁ ଉଡ଼ିଗଲା । ଶିଷ୍ୟ ଦୁହେଁ ନିରୀକ୍ଷଣ କରି ଦେଖିଲେ ଚଢ଼େଇଟି ସେଠାରେ ନିଜର ବସା ତିଆରି କରୁଥିଲା । ପତ୍ରଟିକୁ ନେଇ ସେ ତା’ର ବସା ବାନ୍ଧିବା କାମରେ ଲଗାଇଦେଲା । ତୁଷାର ଓ ଶିଶିର ଭାବିଲେ, ଏ ସ୍ଥାନରୁ ମଧ୍ୟ ପତ୍ର ନେଇ ହେବନାହିଁ ।

                ତଥାପି ସେ ଦୁହେଁ ହତାଶ ନହୋଇ ଚାଲିଥା’ନ୍ତି । ଆଗକୁ ଯାଉଯାଉ ଦେଖିଲେ ଗୋଟାଏ ପାଣିନାଳ । ସେହି ନାଳରେ କେତେଗୁଡ଼ିଏ ଶୁଖିଲା ପତ୍ର ଭାସୁଛି । ସେହି ପତ୍ରକୁ ଆଶ୍ରା କରି ପିମ୍ପୁଡ଼ିମାନେ ମୁହଁରେ ଖାଦ୍ୟକଣିକା ଧରି ଏପାରିରୁ ସେପାରିକୁ ଖୁସିରେ ଚାଲିଯାଉଛନ୍ତି । ଏ ସବୁ ଘଟଣା ଦେଖ ତୁଷାର ଓ ଶିଶିର ଆଉ ଆଗକୁ ଯିବାକୁ ମନ ବଳାଇଲେ ନାହିଁ । କାରଣ ସେମାନେ ଦେଖିଲେ ଏହି ଶୁଖିଲା ପତ୍ର ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀ, କୀଟପତଙ୍ଗ ସମସ୍ତଙ୍କର ଦରକାରରେ ଲାଗୁଛି । ତେଣୁ ସେ ଦୁହେଁ ଶୂନ୍ୟ ହସ୍ତରେ ଗୁରୁଙ୍କ ପାଖକୁ ଫେରିଯାଇ କହିଲେ, “ଗୁରୁଦେବ, ଆପଣଙ୍କ କହିବା ଅନୁସାରେ ଆମେ ବହୁ ସ୍ଥାନକୁ ଗଲୁ, ବହୁ ସ୍ଥାନରେ ଶୁଖିଲା ପତ୍ର ପଡ଼ିଥିବାର ଦେଖିଲୁ କିନ୍ତୁ ଏଭଳି ଗୋଟିଏ ସ୍ଥାନ ପାଇଲୁ ନାହିଁ ଯେଉଁଠି ଶୁଖିଲା ପତ୍ର କାହାରି ଦରକାରରେ ନ ଆସୁଛି । ତେଣୁ ଆମେ ଶୂନ୍ୟ ହସ୍ତରେ ଫେରି ଆସିବାକୁ ବାଧ୍ୟ ହେଲୁ । ଆପଣଙ୍କୁ ଆପଣଙ୍କ ମନପସନ୍ଦର ଦକ୍ଷିଣା ଦେଇ ନ ପାରି ଆମେ ଲଜ୍ଜିତ । ଶୁଖିଲା ପତ୍ର କେତୋଟି ଆପଣ ଦକ୍ଷିଣା ଭାବରେ ମାଗିଥିବାରୁ ଆପଣଙ୍କ କଥାକୁ ଆମେ ପରିହାସ ମଣିଥିଲୁ । କିନ୍ତୁ ସେହି ଶୁଖିଲା ପତ୍ର ଯେ କେତେ ଦରକାରୀ ସେ କଥାକୁ ଆମେ ଏବେ ଅନୁଭବ କରିପାରୁଛୁ ।”

            ଶିଷ୍ୟ ଦୁହିଁଙ୍କୁ ଗୁରୁଦେବ ଆନନ୍ଦରେ କୁଣ୍ଡାଇ ପକାଇଲେ । ତା’ପରେ ସ୍ନେହରେ ସେମାନଙ୍କ ପିଠି ଥାପୁଡ଼ାଇ କହିଲେ, “ତୁମେ ଦୁହେଁ ମୋର ନିଷ୍ଠାବାନ୍ ପ୍ରିୟ ଶିଷ୍ୟ । ଦକ୍ଷିଣା ଦେଇ ପାରିଲନି ବୋଲି ମନଦୁଃଖ କରନା, ସେଥିପାଇଁ ଆଦୌ ବ୍ୟସ୍ତ ହୁଅନା । ତୁମେ ଆଜି ଯେଉଁ ଜ୍ଞାନ ଲାଭକଲ, ତାହା ହେଉଛି ମୋର ପ୍ରକୃତ ଗୁରୁଦକ୍ଷିଣା । ତୁମେ ଏବେ ଜାଣିଲ, ଭଗବାନଙ୍କ ସୃଷ୍ଟିରେ ସାମାନ୍ୟ ଶୁଖିଲା ପତ୍ରଟାଏ ମଧ୍ୟ କେତେ ଦରକାରରେ ଆସୁଛି, କେତେ ଜୀବଙ୍କର ଉପକାର କରୁଛି । ତୁମେ ମଣିଷ ଜନ୍ମ ପାଇଛ । ସୃଷ୍ଟିର ମଙ୍ଗଳ କରିବା ପାଇଁ ତୁମେ କାର୍ଯ୍ୟ କରିଯାଅ । ମଣିଷ ଜନ୍ମ କେବଳ ଅନ୍ୟର ଉପକାର କରିବା ପାଇଁ ଉଦ୍ଦିଷ୍ଟ । ଏକଥା ଯେପରି ନ ଭୁଲ । ଦୁଃଖ କଷ୍ଟରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବାର ସୁଯୋଗ ମିଳିଲେ ତାକୁ କେବେ ହାତ ଛଡ଼ା କରିବ ନାହିଁ । ରୋଗୀ, ଦରିଦ୍ର ଓ ବୃଦ୍ଧ ଲୋକଙ୍କୁ ସାହାଯ୍ୟ କରିବା ଲାଗି ସର୍ବଦା ପ୍ରସ୍ତୁତ ରହିଥିବ । ସୃଷ୍ଟିର ମଙ୍ଗଳ ପାଇଁ ତୁମେ କାର୍ଯ୍ୟ କରିଗଲେ ସେହି ହେବ ମୋର ଶ୍ରେଷ୍ଠ ଗୁରୁଦକ୍ଷିଣା ।
ଶିଷ୍ୟଦୁହେଁ ଗୁରୁଙ୍କ ପାଦଧୂଳି ମୁଣ୍ଡରେ ମାରି ହସି ହସି ତାଙ୍କ ପାଖରୁ ବିଦାୟ ନେଲେ ।

ଲେଖକ ପରିଚୟ
ଶ୍ରୀ ନନ୍ଦକିଶୋର ସିଂହ ୧୯୪୨ ମସିହା ମେ ମାସ ୧୫ ତାରିଖରେ ଜନ୍ମ ହୋଇଥିଲେ । ତାଙ୍କର ରଚନା ମାନଙ୍କ ମଧ୍ୟରେ ନାଟକ : "ମାନସୀର ଗବେଷଣାଗାର", "ଅରଣ୍ୟର ଆହ୍ଵାନ", "ଘରଛଡାର କାହାଣୀ", ଶିଶୁ ସାହିତ୍ୟ : "ରଙ୍ଗବେରଙ୍ଗ", "ସାବାସ୍ ଟୁଟୁ", "ମଜାକାହାଣୀ", "ଆମଗାଁ ହାଟ", "ଗୁରୁଦକ୍ଷିଣା" ପ୍ରଭୃତି ପ୍ରଧାନ ।

No comments:

Post a Comment