୫ମ ସାହିତ୍ୟ (୪ର୍ଥ ଅଧ୍ୟାୟ)
"ନୂଆଖାଇ"
ରଚନା: ବିପିନବିହାରୀ ବିଶି
କଥାରେ କୁହନ୍ତି – ଓଡ଼ିଶାରେ ବାରମାସରେ ତେର ପର୍ବ । ସତରେ ଆମ ପର୍ବପର୍ବାଣି ଖାଲି ତେର ସଂଖ୍ୟା ଭିତରେ ସୀମିତ ନୁହେଁ । ଆମ ରାଜ୍ୟ ଓଡ଼ିଶା ପର୍ବପର୍ବାଣିର ଗନ୍ତାଘର । ଏହା ବ୍ୟତୀତ ଆହୁରି ଅନେକ ପର୍ବ ଆନନ୍ଦ ଉତ୍ସାହର ସହ ଆମେ ପାଳନ କରିଥାଉ । ମାନବ ଜୀବନ ଜଞ୍ଜାଳମୟ ଓ ବିଷାଦଗ୍ରସ୍ତ । ଜୀବନରୁ ନୀରସତା ଓ ମନରୁ କ୍ଳାନ୍ତି ଦୂର କରି ଜୀବନକୁ ସରସ ସୁନ୍ଦର ଓ କର୍ମଚଞ୍ଚଳ କରିବାରେ ପର୍ବପର୍ବାଣିର ମୁଖ୍ୟ ଭୂମିକା ରହିଛି । ପର୍ବପର୍ବାଣି ଗୁଢ଼ିକ ମଧ୍ୟରେ ‘ନୂଆଖାଇ’ ଖୁବ୍ ପ୍ରସିଦ୍ଧ ।
ଇଷ୍ଟଦେବୀଙ୍କୁ ବର୍ଷର ପ୍ରଥମ ଅନ୍ନ ସମର୍ପଣ କରି ଖାଇବାର ପର୍ବ ହେଉଛି “ନୂଆଖାଇ’ । ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରାଯାଏ । ତା ପୂର୍ବଦିନ ବିଦ୍ୟାଦାତା ଓ ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ପାଳନ ହୋଇସାରିଥାଏ । “ନୂଆଖାଇ’ରେ ମା' ବସୁମତୀଙ୍କୁ କୃତଜ୍ଞତା ଜ୍ଞାପନ କରିବା ସ୍ଵରୂପ ବର୍ଷର ପ୍ରଥମ ଫସଲର ନୂଆ ଧାନକେଣ୍ଡା ଓ ନୂଆ ଚୁଡ଼ାକୁ ଏକ ନୂଆ ହାଣ୍ଡିରେ ଭୋଗ କରାଯାଇ ଘରର ଇଷ୍ଟଦେବୀ ଓ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ ।
ନୂଆଖାଇ ବା ନବାନ୍ମଭକ୍ଷଣ ଉପଲକ୍ଷେ କି ଧନୀ କି ଦରିଦ୍ର ସମସ୍ତେ ଘର ସଜାସଜି କାମରେ ଲାଗି ପଡ଼ନ୍ତି । ଘରର ମାଆ, ଝିଅ ଓ ବୋହୁମାନେ ଠାକୁରଘରଠାରୁ ଆରମ୍ଭ କରି ସମସ୍ତ ଘରଦ୍ବାର, ଦାଣ୍ଡପିଣ୍ଡାକୁ ଲିପାପୋଛା କରନ୍ତି । ଘରେ ବ୍ୟବହୃତ ଖଟ, ପିଢ଼ା, ଡାଲାକୁଲା, ଲୁଗାପଟା, ବିଛଣାପତ୍ର, ଡବାଡବି ଆଦିକୁ ସଫା କରି ସଜାଇ ରଖନ୍ତି । ପୁରପଲ୍ଲୀଠାରୁ ଆରମ୍ଭ କରି ସହର ଯାଏ ନରନାରୀମାନେ ଦୋକାନ ବଜାରରେ ବିକାକିଣା କରିବାରେ ଲାଗିପଡ଼ନ୍ତି । ମିଠା ଓ ପିଠାପଣା ପାଇଁ ଚାଉଳ, ନଡ଼ିଆ, ଘିଅ, ଗୁଡ଼ ଯୋଗାଡ଼ କରାଯାଏ । ପୂଜାପାଇଁ ଧୂପ, ଦୀପ, କର୍ପୂର, ବସ୍ତ୍ର ଓ ପରିଧାନ ପାଇଁ ନୂଆଲୁଗା କିଣାକିଣିରେ ଗହଳି ଚହଳି ଜମିଉଠେ । ପରିବାପତ୍ର ହାଟରେ ଲୋକଭିଡ଼ ହୁଏ । ନୂଆଖାଇ ପୂର୍ବରୁ ଲୋକମାନଙ୍କ ଭିତରେ ଆନନ୍ଦ ଓ ଉଲ୍ଲାସ ଭରି ରହିଥାଏ ।
ପ୍ରସ୍ତୁତି ଭିତରେ ସମସ୍ତେ ବ୍ୟସ୍ତ ଥିବାବେଳେ ସେହି ଆନନ୍ଦର ଦିନ 'ନୂଆଖାଇ' ଆସି ପହଞ୍ଚିଯାଏ । ସେଦିନ ସୂର୍ଯ୍ୟୋଦୟ ପୂର୍ବରୁ ସମସ୍ତ ନରନାରୀ ଶଯ୍ୟା ତ୍ୟାଗ କରି ନିତ୍ୟକର୍ମ ସାରନ୍ତି । ସଫା ଲୁଗା ପିନ୍ଧି ପୂଜା ସାମଗ୍ରୀ ସଜାଡ଼ି ରଖନ୍ତି । ଘରର ମୁଖିଆ ନୂଆ ଲୁଗା ପରିଧାନ କରି ପୂଜାପାଠରେ ବସନ୍ତି । ସମସ୍ତେ ନୂଆ ଲୁଗା ପିଛନ୍ତି । ପିତୃପୁରୁଷଙ୍କୁ ପିଣ୍ଡଦାନ ପରେ ନୂଆ ଧାନକେଣ୍ଡା ଓ ଚୁଡ଼ା, ପିଠାପଣା ଦେବଦେବୀଙ୍କୁ ସମର୍ପଣ କରି ପୂଜା କରାଯାଏ । ଧୂପ, ଦୀପ, ଚନ୍ଦନ ଓ କର୍ପୁରର ବାସ୍ନାରେ ଘର ମହକି ଉଠୁଥାଏ । ଶଙ୍ଖ, ହୁଳହୁଳି, ଘଣ୍ଟ, ଘଣ୍ଟା ନାଦରେ ଘର ଓ ଅଗଣା ଦୁଲୁକି ଉଠେ । ପୂଜା ଶେଷରେ ଘରର ସମସ୍ତେ ଗୋଟିଏ ସ୍ଥାନରେ ବସନ୍ତି । ଦେବୀ ଦେବତାଙ୍କ ପାଖରେ ଲଗାଯାଇଥିବା ଭୋଗରେ ନୂଆଚୁଡ଼ା, ଘିଅ, ମହୁ, ଗୋରସ, ଗୁଡ଼ ଓ କଦଳୀ ମିଶାଇ ପ୍ରସାଦ ପ୍ରସ୍ତୁତ କରାଯାଏ । ସମସ୍ତେ ପୂର୍ବଦିଗକୁ ମୁହଁକରି ବସି ପତ୍ରର ଚଉତିରେ ବଢ଼ା ହୋଇଥିବା ଏହି ପ୍ରସାଦକୁ ସେବନ କରନ୍ତି । ତା’ପରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରି ଜୁହାର ହୁଅନ୍ତି । ଏହାକୁ ‘ନୂଆଖାଇ ଜୁହାର' କୁହାଯାଏ । ତା' ପରେ ବଡ଼ମାନେ ଖାଇବା ପାଇଁ ବସନ୍ତି । ଘରେ ତିଆରି ହୋଇଥିବା ପିଠାପଣା, ଖିରିପୁରି, ମିଠା ତଥା ଭଳିକିଭଳି ଡାଲି, ତରକାରି ପ୍ରସାଦରୂପେ ସେବନ କରି ସମସ୍ତେ ଆନନ୍ଦ ଉପଭୋଗ କରନ୍ତି ।
ନୂଆ ଖାଇସାରି ଘରର ଝିଅବୋହୁମାନେ ରଙ୍ଗବେରଙ୍ଗ ପୋଷାକ ପିନ୍ଧି ବାହାରି ପଡ଼ନ୍ତି 'ନୂଆଖାଇ ଭେଟ୍ ଘାଟ୍' ପାଇଁ । ଘରଘର ସାହି ସାହି ବୁଲି ଗୁରୁଜନମାନଙ୍କୁ ମୁଣ୍ଡିଆ ମାରି ଜୁହାର ହୁଅନ୍ତି । ବୁଢ଼ାବୁଢ଼ୀମାନେ ହସଖୁସିରେ କହନ୍ତି "ବଞ୍ଚିଥିଲେ ଆର ବରଷକେ ଦେଖା ହେମାଁ" । ଏହି ପର୍ବରେ ବୁଢ଼ାବୁଢ଼ୀଙ୍କଠାରୁ ଆରମ୍ଭ କରି ପିଲାମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଗାଁର ମନ୍ଦିରକୁ ଯାଇ ଦେବଦର୍ଶନ କରିବାର ବିଧି ରହିଛି । "ଖରିଫ୍ ଓ ରବିଫସଲର ଉତ୍ପାଦନ ବଢୁ ଏବଂ ସଂସାରରୁ ଅନ୍ନ କଷ୍ଟ ଦୂର ହେଉ" ବୋଲି ଠାକୁରଙ୍କ ପାଖରେ ପ୍ରାର୍ଥନା କରାଯାଏ । ସଞ୍ଜ ନଇଁଆସିଲେ ଖେଳକୁଦ, ମଉଜମଜଲିସରେ ସମସ୍ତେ ମଜିଯାଆନ୍ତି । ଘୁମୁରା ନାଚ, ଭଜନ, କୀର୍ଭନ, ନାଟ-ତାମସା ଓ ଖିଆପିଆରେ ଲୋକେ ନିଜକୁ ହଜାଇ ଦିଅନ୍ତି । ବିଶେଷକରି ଆଦିବାସୀ ସଂପ୍ରଦାୟ ଲୋକଙ୍କ ନାଚଗୀତ ଓ ବାଦ୍ୟ ବେଶ୍ ଆନନ୍ଦଦାୟକ ହୋଇଥାଏ । ସେମାନେ ଏହି ପର୍ବକୁ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳନ କରିଥାନ୍ତି ।
ନୂଆଖାଇ ଏକ ସାମାଜିକ ଓ କୃଷିଭିଭିକ ପର୍ବ । ଏହି ପର୍ବ ପାଳନ ଫଳରେ ନୂଆ ଫସଲ ଅମଳ ପାଇଁ କୃଷକ ମନରେ ଆନନ୍ଦ ଓ ଉତ୍ସାହ ବଢ଼ିଯାଏ । ଏ ପର୍ବ ଉପଲକ୍ଷେ ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ଆଗରୁ ଆସି ଘରେ ପହଞ୍ଚିଥାନ୍ତି । ଏହି ପର୍ବର ବିଶେଷତ୍ଵ ହେଲା ଏହା ଜନସାଧାରଣଙ୍କୁ ସାମାଜିକ ବନ୍ଧନର ଗୁରୁତ୍ଵ ଶିଖାଇଥାଏ । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ମାନବିକତା ଓ ଭ୍ରାତୃତ୍ଵ ଭାବନା ସୃଷ୍ଟି କରିଥାଏ । ଏଥିରେ ଜାତି ଅଜାତି, ଉଚ୍ଚନୀଚ ଭେଦଭାବ ନ ଥାଏ । ସମସ୍ତଙ୍କ ମନରୁ ବାଦ-ବିବାଦ, ମାନ-ଅଭିମାନ, ରାଗ-ରୁଷା ଅପସରି ଯାଇଥାଏ । ଆମର ବ୍ୟକ୍ତିଗତ ଓ ସାମାଜିକ ଜୀବନ ସଦ୍ଭାବନାରେ ପୂରିଉଠେ । ଆମର ଧର୍ମ, ସଂସ୍କୃତି ଓ ପରମ୍ପରାକୁ ଠିକ୍ ବାଟରେ ପରିଚାଳିତ କରିବାରେ ଏହା ବିଶେଷ ସହାୟକ ହୁଏ ।
ଲେଖକ ପରିଚୟ
ଶ୍ରୀ ବିପିନ ବିହାରୀ ବିଶି ୧୯୪୯ ମସିହା ମାର୍ଚ୍ଚ ମାସ ୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । "ନିଶ୍ଚୁପ ଆରୋହୀ" ତାଙ୍କ ଦ୍ଵାରା ରଚିତ ପୁସ୍ତକ । ଏହା ସହିତ ତାଙ୍କର ଅନେକ ଲେଖା “ସପ୍ତର୍ଷି ପତ୍ରିକାରେ ପ୍ରକାଶିତ ହୋଇଛି ।
No comments:
Post a Comment