ଭାରତରେ ଗାନ୍ଧିଜୀଙ୍କ ଦ୍ୱାରା ସଂଗଠିତ ପ୍ରଥମ ଆନ୍ଦୋଳନ ଥିଲା ଚମ୍ପାରନ୍ ଆନ୍ଦୋଳନ । ବିହାରର ଚମ୍ପାରନ୍ ଜିଲ୍ଲାରେ ଚାଷୀମାନଙ୍କୁ ଜମିର କୋଡ଼ିଏ ଭାଗରୁ ତିନିଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବା ପାଇଁ ଇଂରେଜ ବୃକ୍ଷ ରୋପଣକାରୀମାନଙ୍କ ଦ୍ୱାରା ବାଧ୍ୟ କରାଯାଇ ସେମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଦରରେ ତାଙ୍କୁ ବିକ୍ରୟ କରିବାକୁ ପଡୁଥିଲା । ଏହାକୁ ତିନିକାଠିଆ ବ୍ୟବସ୍ଥା କୁହା ଯାଉଥିଲା । ପରବର୍ତ୍ତୀ ସମୟରେ ନୀଳର ଚାହିଦା ହ୍ରାସ ପାଇବାରୁ ଚାଷୀମାନଙ୍କୁ ନୀଳ ଚାଷ ବାଧ୍ୟତାମୂଳକ ନକରିବା ପାଇଁ ଜମିର ଭଡ଼ା ବୃଦ୍ଧି କରାଗଲା ଓ ଅନେକ ବେଆଇନ ଟିକସ ଆଦାୟ କରାଗଲା ।
ଏହା ବିରୋଧରେ ପ୍ରତିବାଦ କରୁଥିବା ଚାଷୀମାନେ ବିଭିନ୍ନ ପ୍ରକାର ଅତ୍ୟାଚାର ଓ ଶୋଷଣର ଶିକାର ହେଲେ । ରାଜକୁମାର ଶୁକ୍ଳ ନାମକ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତ୍ରଣ କ୍ରମେ ଚାଷୀମାନଙ୍କ ସମସ୍ୟାର ଅନୁଧ୍ୟାନ ପାଇଁ ଗାନ୍ଧିଜୀ ୧୯୧୭ ଏପ୍ରିଲରେ ଚମ୍ପାରନ୍ ଜିଲ୍ଲାର ସଦର ମହକୁମା ମୋତିହାରିରେ ପହଞ୍ଚିଲେ । ଜିଲ୍ଲା ଅଧିକାରୀ ଗାନ୍ଧିଜୀ ଓ ତାଙ୍କ ସହିତ ଯାଇଥିବା ରାଜେନ୍ଦ୍ର ପ୍ରସାଦ, ମୁଜାହର ଉଲ୍ ହକ୍, ମହାଦେବ ଦେଶାଇ, ନରହରି ପାରିଖ୍ ଓ ଜେ.ବି. କୃପାଳିନୀଙ୍କୁ ତୁରନ୍ତ ଉକ୍ତ ଜିଲ୍ଲା ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଲେ । ଗାନ୍ଧିଜୀ ଏହି ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ କରି ସେଥିପାଇଁ ଯେ କୌଣସି ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ବୋଲି ଘୋଷଣା କଲେ । ଅହିଂସ ଉପାୟରେ ଅନ୍ୟାୟମୂଳକ ଆଇନ୍ ଅମାନ୍ୟ କରିବା ସେତେବେଳେ ଭାରତରେ ଏକ ନୂତନ ପ୍ରକାର ଆନ୍ଦୋଳନ ପଦ୍ଧତି ଭାବେ ଉଭା ହେଲା । ଶେଷରେ ସରକାର ଗାନ୍ଧିଜୀଙ୍କୁ ଚମ୍ପାରନ୍ ଚାଷୀମାନଙ୍କ ସମସ୍ୟାଗୁଡ଼ିକୁ ଅନୁଧ୍ୟାନ କରିବା ପାଇଁ ଅନୁମତି ଦେଲେ ଏବଂ ଏହି ବିଷୟରେ ସରକାରଙ୍କ ଦ୍ୱାରା ଗଠିତ କମିଟିରେ ଗାନ୍ଧିଜୀଙ୍କୁ ଏକ ସଦସ୍ୟ ଭାବେ ଅନ୍ତର୍ଭୁକ୍ତ କଲେ ।
ଗାନ୍ଧିଜୀ ନିଜେ ଅନୁସନ୍ଧାନ କରି ଚାଷୀମାନଙ୍କୁ ଇଂରେଜ ମାଲିକଙ୍କ ଶୋଷଣରୁ ରକ୍ଷା କରିବା ନିମନ୍ତେ ଆନ୍ଦୋଳନ କରି ସଫଳ ହେଲେ । ତିନିକାଠିଆ ବ୍ୟବସ୍ଥା ଉଚ୍ଛେଦ ହେଲା ଏବଂ ଇଂରେଜ ମାଲିକଙ୍କ ଦ୍ୱାରା ବେଆଇନ ଭାବେ ଆଦାୟ କରାଯାଇଥିବା ଅର୍ଥର ଶତକଡ଼ା ପଚିଶ ଭାଗ ଚାଷୀମାନଙ୍କୁ ଫେରାଇ ଦିଆଗଲା । ଏକ ବର୍ଷ ମଧ୍ୟରେ ଇଂରେଜ ବୃକ୍ଷରୋପଣକାରୀମାନେ ସେହି ଅଞ୍ଚଳ ଛାଡ଼ି ଚାଲିଯାଇଥିଲେ । ଚମ୍ପାରନ୍ ଆନ୍ଦୋଳନ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତର ପ୍ରଥମ ସଫଳ ଅହିଂସା ଆନ୍ଦୋଳନ ଥିଲା ।
No comments:
Post a Comment