"କାଳିଜାଈରେ ସନ୍ଧ୍ୟା" ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଦ୍ୱାରା ରଚନା କରାଯାଇଥିବା ଏକ କବିତା ଯାହା ବହୁ ବର୍ଷ ତଳେ ସପ୍ତମ ଶ୍ରେଣୀ ସାହିତ୍ୟ ବହିରେ ସ୍ଥାନ ପାଇଥିଲା । ପୁନର୍ବାର ସ୍ମୃତି ଉଜାଗର ନିମନ୍ତେ ଆମ୍ଭ ୱେବସାଇଟରେ କେବଳ ଆପଣମାନଙ୍କ ପାଇଁ କବିତାଟିକୁ ଲେଖୁଛୁ ।
"କାଳିଜାଈରେ ସନ୍ଧ୍ୟା"
ରଚନା: ଉତ୍କଳମଣୀ ଗୋପବନ୍ଧୁ ଦାସ
କାତ ଧରି ଧୀରେ ନାଉରି
ନାଆ ଦେଇଛି ମେଲି,
ଉତ୍ତରା ପବନ ଆଗକୁ
ଦିଏ ତଲେଇ ଠେଲି ।
ନାଚି ନାଚି ଚାଲେ ତରଣୀ,
ନାଚେ ଶତ ତରଙ୍ଗ,
ଉଡିଆସି ଜଳେ ଭାସନ୍ତି
କାହିଁ କେତେ ବିହଙ୍ଗ ।
ହଂସ ହଂସରାଳି ଖେଳନ୍ତି
ଢେଉ-ଦୋଳିରେ ଖେଳ,
ଆସିଲାଣି ଖରା ମଉଳି,
ଛାଇଲେଉଟା ବେଳ ।
ମାଛରଙ୍କା ପକ୍ଷୀ ଉଡ଼ଇ
ଡେଣା ଝାଡି ଆକାଶେ,
ଲକ୍ଷ୍ୟ ରଖି ଜଳେ ବୁଡ଼ଇ
ମୀନ ଧରିବା ଆଶେ ।
ଚାହୁଁ ଚାହୁଁ ଯାଇ ଗଭୀର
ଜଳେ ପଡିଲା ନାଆ,
ଅକାତ ପାଣି ସେ ଗଣ୍ଡରେ
କାଳିଜାଈ ତା ନାଆଁ ।
କାତ ରଖି ନାବେ ନାଉରି
ନେଲା ଆହୁଲା କରେ,
ମାଆ କାଳିଜାଈ ସୁମରି
ମଙ୍ଗ ସଳଖି ଧରେ ।
ନୀଳ ଉର୍ମିମାଳା ଉଠଇ,
ବହେ ପବନ ଖର,
ଛିଟିକି ପଡ଼ଇ ନାଆରେ
ପାଣି ଥରକୁ ଥର ।
ନାଆ ପାଶେ ଖେଳେ ମଗର,
ବୁଡି ଛଟକେ ଉଠେ
ଖେଳେ ଶିଶୁମାର, ସାଙ୍କୁଚ
ପୁଣି ଲାଙ୍ଗୁଡ଼ ପିଟେ ।
ପାରି ହୋଇ ଗଣ୍ଡ ବିଷମ
ନାଆ ଲଗିଲା କୂଳେ,
ସୁଷମା ନିରେଖି ଉଠିଲି
ଶ୍ୟାମ ଶଇଳ-ଚୂଳେ ।
ବୁଡ଼ିଯାଉଥିଲେ ସବିତା
ଦୂର ଭାଲେରି ଶିଖେ,
ଉଡ଼ିଯାଉଥିଲେ ବିହଙ୍ଗେ
ସୁଖେ ଜଟିଆ ମୁଖେ ।
ଅସ୍ତଗାମୀ ରବି-କିରଣ
ପଡି ଚିଲିକାଜଳେ
ଦିଶଇ ପ୍ରବାଳ ବରଣ,
ଶୋଭା ବଚନ ବଳେ ।
ଚଢ଼େଇଗୁହାର ଚୂଡ଼ାକୁ
ଚାହିଁ ଉଡ଼ଇ ଏରା
ଲୋହିତ ଧବଳ ପକ୍ଷରେ
କେଡ଼େ ଦିଶଇ ତୋରା ।
ଭାଲେରି ପାହାଡ଼ ଉଢ଼ାଳେ
ଲୁଚିଗଲେଣି ରବି,
ପଶ୍ଚିମ ଆକାଶେ ଝଟକେ
ପୀତଲୋହିତ ଛବି ।
ଦିଶେ ପାରିକୁଦ ମାଲୁଦ,
ଦୂରୁଁ ଛାୟା ପରାଏ
ସନ୍ଧ୍ୟାତାରା ନଭେ ହୀରକ
ସମ କି ଶୋଭା ପାଏ ।
ଦେଖୁଛି ଚିଲିକା, ସ୍ଵପନେ
ତୋର ଅତୀତ ଶିରୀ,
ମୁହାଣୁ ତୋହର ବୋଇତ
ଯେବେ ଥିବ ବାହାରି ।
ସିନ୍ଧୁ ପାରେ ଯାଇ ଓଡ଼ିଆ
ପୁଏ କରି ବେପାର
ଆଣିଥିବେ ବହି ଦେଶକୁ
ଧନ ରତ୍ନ ଅପାର ।
ପୁଣି ଏ ମୁହାଣ ପାଶେ କି
ଗଢ଼ା ହେବ ବନ୍ଦର ?
ବିପଣିମାଳାରେ ବିଜନ
ବେଳା ହେବ ମୁଖର ?
ତୋ ଜଳେ ଶରତେ ଭାସନ୍ତି
ଯଥା ମରାଳପନ୍ତି,
ଭାସିବେ କି ସିନ୍ଧୁ ସଲିଳେ
କହ ପୋତପଙ୍କତି ?
ବିଦେଶବେପାରୁଁ ଆଣିବେ
ଦେଶେ ନାନା ବିଭବ,
ଫେରିବ କି ଶୋଭାମୟି ଗୋ,
ତୋର ଲୁପ୍ତ ଗୌରବ ?
ସଂଗ୍ରାହକ ଓ ପ୍ରେରକ: ଶ୍ରୀ ସୁଜ୍ଞାନୀ ବିଶ୍ଵାଳ, ଅନୁଗୋଳ, ଓଡ଼ିଶା
କବି ପରିଚୟ
ଉତ୍କଳମଣୀ ଗୋପବନ୍ଧୁ ଦାସ
ଗୋପବନ୍ଧୁ ଦାସ: (୧୮୭୭–୧୯୨୮) ଉତ୍କଳମଣି ନାମରେ ଖ୍ୟାତ । ଓଡ଼ିଶାର ଜଣେ ସ୍ଵାଧିନତା ସଂଗ୍ରାମୀ, କବି, ଲେଖକ ଓ ଦୈନିକ ଖବର କାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଥିଲେ । ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା ।
ଏହି ଭଳି ଆହୁରି ପଦ୍ୟ ଓ ଗଦ୍ୟ ଛାଡନ୍ତୁ ଯାହାକୁ ପଢ଼ି ଆମେ ବଡ଼ ହେଇଚୁ । ଧନ୍ୟବାଦ ଆପଣଙ୍କ ଏହି ଏକ ବିରାଟ ପ୍ରଚେଷ୍ଟା ପାଇଁ ।
ReplyDeleteଏହ। ମୋର FAVOURITE କବିତା ,ଆଜିବି ମୋର ମନେଅଛି ।
ReplyDeleteGood
ReplyDeleteMy favourite kabita
ReplyDeleteଏହି କବିତାଟି ମୋର ବହୁତ ପସନ୍ଦ
ReplyDelete