ଭାରତର ସ୍ଵାଧୀନତା ଦିବସ
ସ୍ଵାଧୀନ ଜୀବନଯାପନ କରିବାକୁ ସମସ୍ତେ ଭଲପାଆନ୍ତି । କ୍ଷୁଦ୍ର କୀଟପତଙ୍ଗଠାରୁ ଆରମ୍ଭକରି ପଶୁପକ୍ଷୀ ଓ ନରନାରୀ ପର୍ଯ୍ୟନ୍ତ ସଭିଏଁ ଆବଶ୍ୟକ କରନ୍ତି ସ୍ଵାଧୀନତା । ରାଷ୍ଟ୍ରକ୍ଷେତ୍ରରେ ମଧ୍ୟ ଠିକ୍ ସେହିକଥା । କୌଣସି ଦେଶ ଅନ୍ୟର ଅଧୀନରେ ରହିବାକୁ ଇଚ୍ଛା କରେନି । ଦେଶ ପରାଧୀନତାର ଶୃଙ୍ଖଳରେ ଆବଦ୍ଧ ରହିଲେ ଜନସାଧାରଣଙ୍କର ଅଶେଷ କ୍ଷତି ସାଧିତ ହୁଏ । ପରାଧୀନ ଜାତି ବହୁ ନିର୍ଯ୍ୟାତନା ସହେ । ଦେଶର ଲୋକମାନେ ସ୍ଵଇଚ୍ଛାରେ କିଛି କରିପାରନ୍ତି ନାହିଁ । ଭାରତୀୟମାନେ ଦୀର୍ଘକାଳ ଧରି ବିଦେଶୀ ଶାସନ କବଳରେ ରହି ଅବହେଳିତ ଅତ୍ୟାଚାରିତ ହେଲେ । ସମୟକ୍ରମେ ସେମାନଙ୍କ ମଧ୍ୟରେ ଚେତନାଶକ୍ତି ଜାଗ୍ରତ ହେଲା । ପରିଶେଷରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ସ୍ଵାଧୀନତା ଲାଭ କଲା । ପ୍ରତିବର୍ଷ ଏହି ଦିବସ ପାଳିତ ହୋଇଆସୁଛି । ଏହା ଭାରତୀୟମାନଙ୍କର ଏକ ପ୍ରଧାନ, ଜାତୀୟ ଉତ୍ସବ ।
ସ୍ୱାଧୀନତା ଆନ୍ଦୋଳନ :
ବିଦେଶୀ ଶାସନାଧୀନ ରହି ଭାରତବାସୀ ଦୁଃଖରେ କାଳାତିପାତ କରୁଥିଲେ । କିନ୍ତୁ ଭିତରେ ଭିତରେ ଅଶାନ୍ତିର ବହ୍ନି କୁହୁଳୁ ଥିଲା । ସେମାନେ ମୁକ୍ତ ହେବାକୁ ଇଚ୍ଛା କରୁଥିଲେ । କ୍ରମେ ଅଧିକରୁ ଅଧିକ ଲୋକ ହୃଦୟଙ୍ଗମ କଲେ ଯେ, ସ୍ଵାଧୀନତା ସମସ୍ତଙ୍କର ଜନ୍ମଗତ ଅଧିକାର ।
ଭାରତୀୟ ସିପାହିମାନେ ୧୮୫୭ ଖ୍ରୀଷ୍ଟାବ୍ଦରେ ଇଂରେଜ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କଲେ । ଏହି ଆନ୍ଦୋଳନକୁ ସିପାହି ବିଦ୍ରୋହ ବୋଲି କୁହାଯାଏ । ଏହା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ନାମରେ ଅଭିହିତ । ୧୮୮୫ରେ ବମ୍ବେରେ ବସିଲା ଜାତୀୟ କଂଗ୍ରେସର ପ୍ରଥମ ଅଧିବେସନ । ବାଳ ଗଙ୍ଗାଧର ତିଳକ, ଗୋପାଳକୃଷ୍ଣ ଗୋଖଲେ ପ୍ରଭୃତି ବିଶିଷ୍ଟ ବ୍ୟକ୍ତିଗଣ ସ୍ଵରାଜ୍ୟ ଆନ୍ଦୋଳନରେ ମୁଖ୍ୟ ଭୂମିକା ନେଲେ । ୧୯୧୯ ମସିହାରେ ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ ଭାରତବାସୀଙ୍କୁ ଯେପରି ଅଧିକ ଦୁଃଖ ଦେଲା ସେପରି ସେମାନଙ୍କୁ ଅଧିକ ସଂଗ୍ରାମୀ କରି ଗଢ଼ିଲା । ଗାନ୍ଧିଜୀଙ୍କ ନେତୃତ୍ବରେ ସଂଗ୍ରାମ ଚାଲିଲା । ବହୁ ଲୋକ ଅସହଯୋଗ ଆନ୍ଦୋଳନରେ ଅଂଶଗ୍ରହଣ କଲେ । ବିଦେଶୀ ଦ୍ରବ୍ୟ ବର୍ଜନ କରାଗଲା । ସତ୍ୟାଗ୍ରହ ଆନ୍ଦୋଳନ ଚାଲିଲା । ଇଂରେଜ ସରକାରଙ୍କୁ ବିତାଡ଼ିତ କରିବା ଉଦ୍ଦେଶ୍ୟରେ ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ ହେଲା । ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ କରିବା ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ "ଆଜାଦ୍ ହିନ୍ଦ୍ ଫୌଜ" ଗଠନ କରିଥିଲେ । କିନ୍ତୁ ଗାନ୍ଧିଜୀଙ୍କ ଚିନ୍ତାଧାରା ଭିନ୍ନ । ସେ ବିଶ୍ଵାସ କରୁଥିଲେ ଅହିଂସାରେ । ଅହିଂସା ଥିଲା ତାଙ୍କର ପ୍ରଧାନ ଅସ୍ତ୍ର । ପଣ୍ଡିତ ଜବାହରଲାଲ ଓ ସର୍ଦ୍ଧାର ବଲ୍ଲବଭାଇ ପ୍ରଭୃତିଙ୍କର ସ୍ୱାଧୀନତା ଆନ୍ଦୋଳନକୁ ଅବଦାନ ଯଥେଷ୍ଟ । ଭାରତୀୟମାନେ ବହୁ ଲୁହଲହୁ ଦେଇ ପାଇଲେ ସ୍ଵାଧୀନତା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ।
କାହିଁକି ପାଳିତ ହୁଏ ? :
ସ୍ଵାଧୀନତା ସଂଗ୍ରାମରେ ନିଜନିଜକୁ ଝାସଦେଇ ବହୁ ଭାରତୀୟ ଶହୀଦ ହୋଇଛନ୍ତି । ସେମାନଙ୍କ ଆଦର୍ଶରେ ଉଦ୍ବୃଦ୍ଧ ହୋଇ ଆମେ ସ୍ଵାଧୀନତା ଦିବସ ପାଳନ କରୁଛୁ । ବହୁ କଷ୍ଟ ଅର୍ଜିତ ସ୍ୱାଧୀନତାର ସୁରକ୍ଷା ନିମିତ୍ତ ଆମେ ସଙ୍କଳ୍ପବଦ୍ଧ ହେଉ ଏହି ପବିତ୍ର ସ୍ଵାଧୀନତା ଦିବସରେ । ବୀର ପୁରୁଷ ଓ ବୀର ରମଣୀମାନଙ୍କର ତ୍ୟାଗରେ ପରିପୁଷ୍ଟ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସକୁ ପର୍ଯ୍ୟାଲୋଚନା କରିବାର ସୁଯୋଗ ଆଣିଦିଏ ଅଗଷ୍ଟ ମାସର ୧୫ ତାରିଖ । ଜାତୀୟ ପତାକାର ଗୌରବ ବୃଦ୍ଧି କରିବାକୁ ଭାରତବାସୀ ସଙ୍କଳ୍ପ ଗ୍ରହଣ କରନ୍ତି । ଜାତୀୟ ଚେତନାକୁ ନବୀକରଣ କରିବାର ଅବକାଶ ମିଳେ । ସ୍ୱାଧୀନତା ପ୍ରାପ୍ତି ପରେ ଦେଶରେ କି କି ପ୍ରକାର ଉନ୍ନୟନମୂଳକ କାର୍ଯ୍ୟ ହୋଇଛି, ତା’ର ସମୀକ୍ଷା କରାଯାଏ । ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ କି ପଦକ୍ଷେପ ନିଆଯିବା ଉଚିତ, ସେ ବିଷୟ ଆଲୋଚିତ ହୁଏ । ସ୍ଵାଧୀନତା ଦିବସ ଆମକୁ ନବୀନ ଉତ୍ସାହ ଓ ଉଦ୍ଦୀପନା ଦିଏ । ସମସ୍ତ ଦେଶପ୍ରେମରେ ଉଦ୍ବୃଦ୍ଧ ହୁଅନ୍ତି ଏବଂ କର୍ମକ୍ଷେତ୍ରରେ ଅଗ୍ରସର ହେବାକୁ ପ୍ରେରଣା ଲାଭ କରନ୍ତି । ଏ ଦିବସ ଆମ ଜାତୀୟ ଜୀବନକୁ ସୁଦୃଢ଼ କରେ। ଜାତୀୟ ଐକ୍ୟ ଓ ସଂହତି ମଜଭୁତ ହୁଏ ।
କିପରି ପାଳିତ ହୁଏ :
ଅଗଷ୍ଟ ପନ୍ଦରରେ ସାରା ଭାରତରେ ସ୍ଵାଧୀନତା ଦିବସ ପାଳିତ ହେଉଛି । ଶିକ୍ଷାନୁଷ୍ଠାନ ତଥା ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ଏହି ଦିବସ ପାଳିତ ହୁଏ । ଭାରତ ବାହାରେ ରହୁଥିବା ଭାରତୀୟମାନେ ମଧ୍ୟ ଉକ୍ତଦିବସ ପାଳନ କରିଥାଆନ୍ତି । ଆମ ଦେଶର ରାଜଧାନୀ ନୂଆଦିଲ୍ଲୀରେ ଏ ଉପଲକ୍ଷେ ଏକ ବିଶେଷ ଉତ୍ସବର ଆୟୋଜନ କରାଯାଏ । ଏହା ମହାସମାରୋହରେ ପାଳିତ ହୁଏ । ଲାଲକିଲ୍ଲାରେ ପତାକା ଉତ୍ତୋଳନ ଉତ୍ସବ ଅନୁଷ୍ଠିତ ହୁଏ । ଭାରତର ପୂଜ୍ୟ ପ୍ରଧାନମନ୍ତ୍ରୀ ଜାତୀୟପତାକା ଉତ୍ତୋଳନ କରି ଉଦ୍ବୋଧନ ଦିଅନ୍ତି । ଏହି ଚିତ୍ତାକର୍ଷକ ଉତ୍ସବର ଦୃଶ୍ୟ ଦୂରଦର୍ଶନ ମାଧ୍ୟମରେ ପ୍ରଦର୍ଶିତ ହୁଏ । ଏହାର ସିଧା ପ୍ରସାରଣ ଦେଖିବା ପାଇଁ ଦୂରଦର୍ଶନ ଯନ୍ତ୍ରପାଖରେ ଭିଡ଼ ଜମେ । ଆକାଶବାଣୀ ମଧ୍ୟ ଏହାର ପ୍ରତ୍ୟକ୍ଷଦର୍ଶ ଧାରା ବିବରଣୀ ପ୍ରଚାର କରେ । ଉତ୍ସବ ପାଳନ ପ୍ରାତଃକାଳରୁ ଆରମ୍ଭ ହୁଏ ବିଭିନ୍ନ ରାଜ୍ୟର ରାଜଧାନୀମାନଙ୍କ ରେ । ମାନ୍ୟବର ରାଜ୍ୟପାଳମାନେ ପତାକା ଉତ୍ତୋଳନ କରନ୍ତି । ମନ୍ତ୍ରୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ଉତ୍ସବମାନଙ୍କରେ ଯୋଗଦାନ କରିଥାଆନ୍ତି । ଭାଷଣ ପ୍ରସଙ୍ଗରେ ଏ ଦିବସର ଗୁରୂତ୍ୟ ଲୋକମାନକୁ ବୁଝାନ୍ତି । ସ୍କୁଲ କଲେଜମାନଙ୍କରେ ସକାଳେ ପ୍ରଭାତଫେରି ହୁଏ । ତା ପରେ ନିମନ୍ତ୍ରିତ ଅତିଥି ପତାକା ଉତ୍ତୋଳନ କରି ଭାଷଣ ଦିଅନ୍ତି । ଜାତୀୟ ସଙ୍ଗୀତ ଗାନ କରାଯାଏ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଭାଷଣ ଓ ଦେଶାତ୍ମବୋଧକ ସଙ୍ଗୀତ ଗାନ ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ବିଭିନ୍ନ ସଭାରେ ସଭା ସମିତି ମାନ ହୁଏ । ନାଚଗୀତର ଆୟୋଜନ କରାଯାଇଥାଏ । କ୍ରୀଡ଼ା ଓ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଏ । ଏହି ଦିବସର ମହତ୍ତ୍ବ ସମସ୍ତେ ଉପଲବଧି କରନ୍ତି ।
ଉପସଂହାର :
ଭାରତର ସ୍ୱାଧୀନତାର ସୁରକ୍ଷା କରିବା ଭାରତୀୟମାନଙ୍କର ପ୍ରଥମ ଓ ପରମ କର୍ତ୍ତବ୍ୟ । ଆବଶ୍ୟକ ପଡ଼ିଲେ ଆମେ ଆତ୍ମୋତ୍ସର୍ଗ କରିବାକୁ ପଶ୍ଚାତପଦ ହେବ ନାହିଁ । ସ୍ଵାଧୀନତା ଭଳି ଅମୂଲ୍ୟ ସମ୍ପଦକୁ ପାଇ ଆମେ ଗର୍ବିତ ଓ ଗୌରବାନ୍ଵିତ । ଏହା ଯେପରି ଚିରକାଳ ଭାରତୀୟମାନଙ୍କ ହାତରେ ରହିବ, ସେଥିପ୍ରତି ଦୃଷ୍ଟି ଦେବାକୁ ପଡ଼ିବ । ଆକୁମାରୀ ହିମାଳୟ ତ୍ରିରଙ୍ଗା ପତାକା ଫର୍ ଫର୍ ଉଡି ଏହି କଥା ଚେତାଇଦିଏ ।
No comments:
Post a Comment