
"ରାମଚଣ୍ଡୀରେ ସନ୍ଧ୍ୟା" ପଣ୍ଡିତ ନୀଳକଣ୍ଠ ଦାସଙ୍କ ଦ୍ୱାରା ରଚନା କରାଯାଇଥିବା ଏକ କବିତା ଯାହା ବହୁ ବର୍ଷ ତଳେ ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିରେ ସ୍ଥାନ ପାଇଥିଲା । ପୁନର୍ବାର ସ୍ମୃତି ଉଜାଗର ନିମନ୍ତେ ଆମ୍ଭ ୱେବସାଇଟରେ କେବଳ ଆପଣମାନଙ୍କ ପାଇଁ କବିତାଟିକୁ ଲେଖୁଛୁ । 
"ରାମଚଣ୍ଡୀରେ ସନ୍ଧ୍ୟା"
ରଚନା: ପଣ୍ଡିତ ନୀଳକଣ୍ଠ ଦାସ
କି କରାଳ ଆଜି ରଜନୀ !
                       ବହେ ଝଞ୍ଜା ପବନ । 
ତରା ନ ଦିଶଇ ଗଗନେ
                       ଶୁଭେ ଘନ ଗର୍ଜନ ।
ମୂଷଳ - ଧାରାରେ ଝଟିକା
                   ଦିଏ କଚାଡି କେବେ
ଶୋଇ ପଡ଼ିଛି ତ ବାପା ହେ
                   ଜାଣୁ ନ ଥିବ ଲବେ । 
ଆଜି ଯେ କୁଆଁର ପୁନିଅଁ
                   କେଡ଼େ ସୁଖ ଶରଧା
ମାଆ ଭଉଣୀଙ୍କ ଆଦର 
                   ନବ ବସନ ପିନ୍ଧା । 
ମନେ ପଡୁ ନାହଁ ବାବୁ ହେ
                   ଲାଗି ଯାଇଛି ନିଦ 
ମାଆ ଭଉଣୀଏ ଭବନେ
                   ଭଜିଥିବେ ବିଷାଦ । 
ଲୁଗାରେ ହଳଦୀ ଲଗାଇ
                   ଚାହିଁଥିବେ ଜନନୀ 
ପିଠାପଣା ଖାଉ ନ ଥିବ
                   ସୁଖେ ଆଜି ଭଗିନୀ ।
ପବନ ଝଙ୍କାରେ ଶୁଣୁ ସେ
                   ଥିବ ଡାକ ତୁମ୍ଭର 
ପଲକେ ପଲକେ ଚମକି
                   ହେଉଥିବେ କାତର । 
ଜନନୀର ଗୁରୁ ବେଦନା
                   ଭଗିନୀର ବିଷାଦ 
ସୁମରି ସପନେ ଚମକି
                   ଭାଙ୍ଗି ଯିବଟି ନିଦ । 
ଶୁଅ ଶୁଅ ଧନ ଆରାମେ
                   ଶୋଇ ଥାଅରେ ଶିଶୁ 
ପଥଶ୍ରମ କରି ଆସିଛ
                   ଶ୍ରମେ ବିରାମ ମିଶୁ ।
ରହ ରହ ବାଆ ବତାସି
                   ରହ ବରଷା-ଧାର 
କୁଆଁର ପୁନିଅଁ ହେଉରେ
                   ଆଜି ରଜନୀ ସାରା । 
ଉଠି ଆସୁ ନୀଳ ଲହରୀ
                   ଭେଦି ତାରକା ରାଜି 
ନିଶାମଣି ଶୋହୁ ଗଗନେ
                   ମହୀ ମୁକୁର ମାଜି ।
ପୁନିଅଁ ଜୁଆର ପୁଲକେ 
                   ଭରା ତଟିନୀ ମୁଖ 
ମୃଦୁଳ - ଲହରୀ ହିଲ୍ଲୋଳେ
                   ଚାରୁ ଚାନ୍ଦ-ମୟୁଖ । 
ମୁହିଁ ଦିନେ ଶିଶୁ ଥିଲଇଁ 
                   ମନେ ପଡୁଛି ମୋର । 
ବସି ଶିଶୁମେଳେ ଦେଖନ୍ତି
                   ଏ ବିଭବ ରୁଚିର । 
ସଂଗ୍ରାହକ ଓ ପ୍ରେରକ: ଶ୍ରୀ ସୁଜ୍ଞାନୀ ବିଶ୍ଵାଳ, ଅନୁଗୋଳ, ଓଡ଼ିଶା
କବି ପରିଚୟ
ପଣ୍ଡିତ ନୀଳକଣ୍ଠ ଦାସ
ଜନ୍ମ: ୫/୮/୧୮୮୪, ମୃତ୍ୟୁ ୬/୧୧/୧୯୬୭ । ପଣ୍ଡିତ ନୀଳକଣ୍ଠ ଦାସ ଆମ ଓଡ଼ିଶାର ଜଣେ ଖ୍ୟାତନାମା କବି । ସେ ବହୁ କବିତା ଓ ପ୍ରବନ୍ଧ ଲେଖି ଯାଇଛନ୍ତି । ଆମ ଓଡ଼ିଆ ଭାଷାର ଏକ ଇତିହାସ ବହି ମଧ୍ୟ ସେ ଲେଖିଛନ୍ତି । ତାଙ୍କର ସମସ୍ତ ଲେଖାକୁ ନେଇ ଗୋଟିଏ ବଡ଼ ବହି ଛପାଯାଇଛି । ଏହା "ନୀଳକଣ୍ଠ ଗ୍ରନ୍ଥାବଳୀ" । ନୀଳକଣ୍ଠ ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ସେ ଜଣେ ସମାଜ ସଂସ୍କାରକ, ସ୍ଵାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ ଥିଲେ । 
ରାମଚଣ୍ଡୀ: କୋଣାର୍କଠାରୁ ଅଳ୍ପ ଦୂରରେ, ସମୁଦ୍ର କୂଳରେ ଥିବା ଠାକୁରାଣୀ । ଠାକୁରାଣୀ ନାମ ଅନୁସାରେ ସେ ସ୍ଥାନର ନାମ "ରାମଚଣ୍ଡୀ" ହୋଇଛି ।
 
 
 
 
 
 
 
 
 
 
 
 
 




ହଁ, ଏହି କବିତାକୁ ମୁଁ ପଢ଼ିଥିଲି 1994ମସିହାରେ,ବହୁତ ସୁନ୍ଦର ଲାଗିଲା ପୁଣିଥରେ ପଢ଼ିବାର ସୁଯୋଗ ପାଇଲି ଓଡ଼ିଆ ପୋର୍ଟାଲ ମାଧ୍ୟମରେ।
ReplyDeleteI also like this very much
DeleteIt awaked my childhood memory. Thanks Odiaportal.
ReplyDeletesuper
ReplyDelete