Recent Posts

"ରାମଚଣ୍ଡୀରେ ସନ୍ଧ୍ୟା" - ପଣ୍ଡିତ ନୀଳକଣ୍ଠ ଦାସ (ପୁରୁଣା ପାଠ୍ୟପୁସ୍ତକ କବିତା) - ପଢନ୍ତୁ ଓଡ଼ିଆରେ

May 19, 2018
Class 1 to 10 All School eText Book, 80s-90s Old School Books, College Text Books, 250+ Janhamamu Magazine, Nijukti Khabar, Sishulekha Magazines Now Available on our new "Odia Pathagara" App.
Please Install from Playstore. Click the button to Install for Free!
Download (APP)
"ରାମଚଣ୍ଡୀରେ ସନ୍ଧ୍ୟା" - ପଣ୍ଡିତ ନୀଳକଣ୍ଠ ଦାସ (ପୁରୁଣା ପାଠ୍ୟପୁସ୍ତକ କବିତା) - ପଢନ୍ତୁ ଓଡ଼ିଆରେ, କି କରାଳ ଆଜି ରଜନୀ ! ବହେ ଝଞ୍ଜା ପବନ । ତରା ନ ଦିଶଇ ଗଗନେ ଶୁଭେ ଘନ ଗର୍ଜନ । Ramachandire Sandhya, Pandit Nilakantha Das, Odia poem download
"ରାମଚଣ୍ଡୀରେ ସନ୍ଧ୍ୟା" ପଣ୍ଡିତ ନୀଳକଣ୍ଠ ଦାସଙ୍କ ଦ୍ୱାରା ରଚନା କରାଯାଇଥିବା ଏକ କବିତା ଯାହା ବହୁ ବର୍ଷ ତଳେ ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିରେ ସ୍ଥାନ ପାଇଥିଲା । ପୁନର୍ବାର ସ୍ମୃତି ଉଜାଗର ନିମନ୍ତେ ଆମ୍ଭ ୱେବସାଇଟରେ କେବଳ ଆପଣମାନଙ୍କ ପାଇଁ କବିତାଟିକୁ ଲେଖୁଛୁ । 

"ରାମଚଣ୍ଡୀରେ ସନ୍ଧ୍ୟା"
ରଚନା: ପଣ୍ଡିତ ନୀଳକଣ୍ଠ ଦାସ

କି କରାଳ ଆଜି ରଜନୀ !
                       ବହେ ଝଞ୍ଜା ପବନ ।
ତରା ନ ଦିଶଇ ଗଗନେ
                       ଶୁଭେ ଘନ ଗର୍ଜନ ।

ମୂଷଳ - ଧାରାରେ ଝଟିକା
                   ଦିଏ କଚାଡି କେବେ
ଶୋଇ ପଡ଼ିଛି ତ ବାପା ହେ
                   ଜାଣୁ ନ ଥିବ ଲବେ ।

ଆଜି ଯେ କୁଆଁର ପୁନିଅଁ
                   କେଡ଼େ ସୁଖ ଶରଧା
ମାଆ ଭଉଣୀଙ୍କ ଆଦର
                   ନବ ବସନ ପିନ୍ଧା ।

ମନେ ପଡୁ ନାହଁ ବାବୁ ହେ
                   ଲାଗି ଯାଇଛି ନିଦ
ମାଆ ଭଉଣୀଏ ଭବନେ
                   ଭଜିଥିବେ ବିଷାଦ ।
ଲୁଗାରେ ହଳଦୀ ଲଗାଇ
                   ଚାହିଁଥିବେ ଜନନୀ
ପିଠାପଣା ଖାଉ ନ ଥିବ
                   ସୁଖେ ଆଜି ଭଗିନୀ ।

ପବନ ଝଙ୍କାରେ ଶୁଣୁ ସେ
                   ଥିବ ଡାକ ତୁମ୍ଭର
ପଲକେ ପଲକେ ଚମକି
                   ହେଉଥିବେ କାତର ।

ଜନନୀର ଗୁରୁ ବେଦନା
                   ଭଗିନୀର ବିଷାଦ
ସୁମରି ସପନେ ଚମକି
                   ଭାଙ୍ଗି ଯିବଟି ନିଦ ।
ଶୁଅ ଶୁଅ ଧନ ଆରାମେ
                   ଶୋଇ ଥାଅରେ ଶିଶୁ
ପଥଶ୍ରମ କରି ଆସିଛ
                   ଶ୍ରମେ ବିରାମ ମିଶୁ ।

ରହ ରହ ବାଆ ବତାସି
                   ରହ ବରଷା-ଧାର
କୁଆଁର ପୁନିଅଁ ହେଉରେ
                   ଆଜି ରଜନୀ ସାରା ।
ଉଠି ଆସୁ ନୀଳ ଲହରୀ
                   ଭେଦି ତାରକା ରାଜି
ନିଶାମଣି ଶୋହୁ ଗଗନେ
                   ମହୀ ମୁକୁର ମାଜି ।

ପୁନିଅଁ ଜୁଆର ପୁଲକେ
                   ଭରା ତଟିନୀ ମୁଖ
ମୃଦୁଳ - ଲହରୀ ହିଲ୍ଲୋଳେ
                   ଚାରୁ ଚାନ୍ଦ-ମୟୁଖ ।

ମୁହିଁ ଦିନେ ଶିଶୁ ଥିଲଇଁ
                   ମନେ ପଡୁଛି ମୋର ।
ବସି ଶିଶୁମେଳେ ଦେଖନ୍ତି
                   ଏ ବିଭବ ରୁଚିର ।

ସଂଗ୍ରାହକ ଓ ପ୍ରେରକ: ଶ୍ରୀ ସୁଜ୍ଞାନୀ ବିଶ୍ଵାଳ, ଅନୁଗୋଳ, ଓଡ଼ିଶା

କବି ପରିଚୟ
ପଣ୍ଡିତ ନୀଳକଣ୍ଠ ଦାସ
ଜନ୍ମ: ୫/୮/୧୮୮୪, ମୃତ୍ୟୁ ୬/୧୧/୧୯୬୭ । ପଣ୍ଡିତ ନୀଳକଣ୍ଠ ଦାସ ଆମ ଓଡ଼ିଶାର ଜଣେ ଖ୍ୟାତନାମା କବି । ସେ ବହୁ କବିତା ଓ ପ୍ରବନ୍ଧ ଲେଖି ଯାଇଛନ୍ତି । ଆମ ଓଡ଼ିଆ ଭାଷାର ଏକ ଇତିହାସ ବହି ମଧ୍ୟ ସେ ଲେଖିଛନ୍ତି । ତାଙ୍କର ସମସ୍ତ ଲେଖାକୁ ନେଇ ଗୋଟିଏ ବଡ଼ ବହି ଛପାଯାଇଛି । ଏହା "ନୀଳକଣ୍ଠ ଗ୍ରନ୍ଥାବଳୀ" । ନୀଳକଣ୍ଠ ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ସେ ଜଣେ ସମାଜ ସଂସ୍କାରକ, ସ୍ଵାଧୀନତା ସଂଗ୍ରାମୀ ଓ ରାଜନୀତିଜ୍ଞ ଥିଲେ ।

ରାମଚଣ୍ଡୀ: କୋଣାର୍କଠାରୁ ଅଳ୍ପ ଦୂରରେ, ସମୁଦ୍ର କୂଳରେ ଥିବା ଠାକୁରାଣୀ । ଠାକୁରାଣୀ ନାମ ଅନୁସାରେ ସେ ସ୍ଥାନର ନାମ "ରାମଚଣ୍ଡୀ" ହୋଇଛି ।

4 comments:

  1. ହଁ, ଏହି କବିତାକୁ ମୁଁ ପଢ଼ିଥିଲି 1994ମସିହାରେ,ବହୁତ ସୁନ୍ଦର ଲାଗିଲା ପୁଣିଥରେ ପଢ଼ିବାର ସୁଯୋଗ ପାଇଲି ଓଡ଼ିଆ ପୋର୍ଟାଲ ମାଧ୍ୟମରେ।

    ReplyDelete
  2. It awaked my childhood memory. Thanks Odiaportal.

    ReplyDelete