ମହାନଦୀ - ପୁରୁଣା ଓଡ଼ିଆ ସାହିତ୍ୟ ବହିରୁ ଉଦ୍ଧୃତ । ଏହାର କବିଙ୍କ ନାମ ଏବେ ପର୍ଯ୍ୟନ୍ତ ଆମର ହସ୍ତଗତ ହୋଇନାହିଁ ।
"ମହାନଦୀ"
ଶଇଳ-ଶିଖର-ତଳପ ବରଜି
ବନ୍ଧୁର ଶିଳା ଭେଦି,
କଳ କଳ ନାଦେ ଗିରିବନ-ପଦେ
ବହୁଛୁ ତୁ, ମହାନଦୀ ।
ଜଳଧାର ତୋ'ର ସ୍ୱଚ୍ଛ, ଶୀତଳ
ହୀରକ-ହାର କି ସତେ !
ଉତ୍କଳ-ମାତା କଣ୍ଠେ ଶୋଭଇ
ଉଚ୍ଛ୍ୱଳି ଅବିରତେ ।
ତଟଦେଶେ ତୋ'ର ଶୋଭାର ଆଧାର
କେଦାର, କାନନେ ଭରା,
ଆମ ଲାଗି ତୁ କି ସାଇତି ରଖିଛୁ
ଶିରୀ, ଚିର ମନୋହରା !
ତୀରେ ତୋ'ର ଉଭା ଗତ-ଗୌରବ
ଭଗ୍ନ ସେ ବାରବାଟୀ,
ଲକ୍ଷ ପାଇକ ବକ୍ଷ-ଶୋଣିତେ
ସିକ୍ତ ଯା' ବୀର ମାଟି !
ବର୍ଷା ଆଗମେ ପ୍ରକୃତି ଯେବେ
ବେଶ ରଚେ ଅଭିନବ,
ଘନେ ହେରି ଶିଖୀ ପୁଚ୍ଛ ପ୍ରସାରି
ନାଚେ କରି କେକାରବ।
ସେ କିବା ଆମୋଦେ ପ୍ରଳୟ ଆଣି ତୁ
ବନ୍ୟାରେ ଉଠୁ ମାତି !
ଗୁରୁ ଗର୍ଜନେ ଫୁଲି ଉଠେ ତୋର
ଫେନ-ଉଚ୍ଛଳ ଛାତି।
ଭୀମ, ଭୈରବ ମୂର୍ତ୍ତି ତୋହର
ଲଙ୍ଘୁ ତୁ କୂଳ ଖରେ,
ଶସ୍ୟ ହରିତ କେଦାରେ କେଦାରେ
ନିର୍ମମ ବାଲି ଚରେ !
କୋଟି ଜନତାର ଆଶା ଭରସାର
କ୍ଷେତ ହୁଏ ନାରଖାର,
ଅନ୍ନ ବିହୁନେ ପଲ୍ଲୀ ନଗରେ
ଉଠେ କେତେ ହାହାକାର।
ବନ୍ୟାର ଗତି ରୋଧିବେ ତୋହରି
ନବ କଳ୍ପନା କରି,
ଆସିଲେ ଶିଳ୍ପୀ ବିନ୍ଧାଣି ଯେତେ
ନୂତନ ଯନ୍ତ୍ର ଧରି।
ଗଢ଼ି ହୀରାକୁଦେ ବନ୍ଧ, ରଖିଲେ
ସଞ୍ଚି ତୋ' ଜଳ ରାଶି,
ପ୍ରଖର ନିଦାଘେ ଜଳ ପାଇ ଯହୁଁ
ତୃପ୍ତ ତୋ' ତୀରବାସୀ !
ତୋ' ଜଳୁ ଆହୁରି ବିଦ୍ୟୁତ୍ ବଳ
ଚଳେ କାରଖାନାମାନ,
ବିଜ୍ଞାନ ଦିଏ ନୂତନ ଚେତନା
ଉଲ୍ଲସେ ଜାତି-ପ୍ରାଣ।
ହସେ ତୋ' ମୁହାଣେ ପାରାଦୀପ ଏବେ
ବଜାଇ ବଣିଜ-ଭେରୀ,
ବିଶ୍ୱ କି ଦିନେ ଚକିତ ହେବନି
ତୋ' ଦେଶ ବିଭବ ହେରି !
No comments:
Post a Comment