୫ମ ସାହିତ୍ୟ (୨ୟ ଅଧ୍ୟାୟ)
ଉପଯୁକ୍ତ ବେଶ ପକାଇ ଆସ
ରଚନା: ମନୋଜ ଦାସ
ଗୋଟିଏ ରାଜ୍ୟ ଜୟ କଲେ ରାଜା ତାଙ୍କ ପୋଷାକରେ ଖଣ୍ଡିଏ ନୂଆ ହୀରା ଲଗାନ୍ତି । ରାଜ୍ୟ ପରେ ରାଜ୍ୟ, ଚାରି ଛଅ ରାଜ୍ୟ ଜୟ କରି, ପଗଡ଼ି ଓ ପରିଧେୟରେ ଚାରି ଛଅ ଚେକା ହୀରା ଝଲସାଇ ରାଜା ନିଜ ନଅରକୁ ପ୍ରତ୍ୟାବର୍ତ୍ତନ କରୁଥିଲେ ।
ଡେରା ପଡ଼ିଥିଲା ଗୋଟିଏ ପର୍ବତର ପାଦଦେଶରେ । ଦୁଇ-ରାଜ୍ୟ ମଝିରେ ଏଇଟା ଗୋଟାଏ ଜନହୀନ ପ୍ରାୟ ବଣ ମୁଲକ ।
ସୈନ୍ୟବାହିନୀ ଶୋଇ ପଡ଼ିଥିଲେ । ରାଜା ତାଙ୍କ ଶିବିର ବାହାରେ ନିଶାର୍ଦ୍ଧରେ ପଦଚାରଣା କରୁଥିଲେ । ହଠାତ୍ ସମ୍ମୁଖବର୍ତ୍ତୀ ପର୍ବତ ଉପରେ ଏକ ଅଦ୍ଭୁତ ନୀଳାଭ ଆଲୋକ ତାଙ୍କର ଦୃଷ୍ଟିଗୋଚର ହେଲା । ତାଙ୍କ ହୃଦୟ ବିସ୍ମୟ, ଚମକ ଏବଂ ଆନନ୍ଦରେ ଭରିଗଲା । ସେ ଆଲୋକ ଯେ ଅସାଧାରଣ, ସେଥିରେ ସନ୍ଦେହର ଅବକାଶ ନ ଥିଲା ।
ବିସ୍ମିତ ରାଜା ମନ୍ତ୍ରୀଙ୍କୁ ନିଦରୁ ଉଠାଇଲେ ଓ ସେ ଆଲୋକ ଦେଖାଇଲେ । ମନ୍ତ୍ରୀ ଅତି ସ୍ଵାଭାବିକ ଭାବରେ କହିଲେ, “ମହାରାଜ, ମୁଁ ସନ୍ଧ୍ୟାବେଳେ ଆଖପାଖ ଲୋକଙ୍କଠୁଁ ଶୁଣିଥିଲି କି ସେ ପର୍ବତ ଉପରେ ଜଣେ ସନ୍ନ୍ୟାସୀ ରହନ୍ତି । ଶୀତ ରାତି । ସେ ନିଆଁ ଜାଳିଛନ୍ତି ।"
"ମନ୍ତ୍ରୀ ! ତୁମକୁ ସେ ଆଲୋକ କିପରି ଲାଗୁଛି ?”
ରାଜାଙ୍କ ପ୍ରଶ୍ନରେ ବିସ୍ମିତ ହୋଇ ମନ୍ତ୍ରୀ କହିଲେ, “ମଣିମା ! ଶୁଖିଲା କାଠପତ୍ର ଜାଳିଲେ ନିଆଁ ଯେପରି ହେବା କଥା, ଏହା ସେହିପରି !” “ଆଚ୍ଛା, ଶୋଇବ ଯାଅ ।” କହିଲେ ରାଜା । ସେ ବୁଝିଲେ ଯେ ଆଲୋକର ଯେଉଁ ବିଶେଷତ୍ଵ ସେ ଦେଖୁଛନ୍ତି, ମନ୍ତ୍ରୀ ତାହା ଦେଖିପାରୁ ନାହାନ୍ତି ।
ପ୍ରଭାତ ହେଲା । ରାଜା ସନ୍ନ୍ୟାସୀଙ୍କୁ ଭେଟିବାର ଅନୁମତି ପ୍ରାର୍ଥନା କରି ଦୂତ ପଠାଇଲେ । ଦୂତ ଫେରିଆସି କହିଲେ, “ସନ୍ନ୍ୟାସୀ କହୁଛନ୍ତି କି, ତାଙ୍କୁ ଭେଟିବାକୁ ହେଲେ ରାଜା ଉପଯୁକ୍ତ ବେଶ ପକାଇ ଯିବା ଦରକାର ।"
"ଅବଶ୍ୟ !" କହି ରାଜା ତାଙ୍କର ରତ୍ନଖଚିତ ପୋଷାକ ଓ ପଗଡ଼ି ଲଗାଇ ବାହାରି ପଡ଼ିଲେ । ସେ ପର୍ବତ ଅଧା ଚଢ଼ିବା ବେଳକୁ ସନ୍ନ୍ୟାସୀଙ୍କର ଜଣେ ଚେଲା ଆସି କହିଲେ, “ଗୁରୁଦେବ ମଣିମାଙ୍କୁ ଦୂରରୁ ଦେଖିଛନ୍ତି । ସେ କହିଲେ କି ଆପଣ ଉପଯୁକ୍ତ ବେଶ ପକାଇ ଆସିବା ଦରକାର ।"
ରାଜା ନୀରବରେ ଶିବିରକୁ ଆସି ରତ୍ନପୋଷାକ ଉତାରି, ଜଣେ ସାଧାରଣ ନାଗରିକର ପୋଷାକ ପିନ୍ଧିଲେ ଓ ନିଜକୁ ନିଜେ କହିଲେ, "ବାସ୍ତବିକ୍ ରାଜ-ପୋଷାକରେ ସନ୍ୟାସୀଙ୍କ ପାଖକୁ ଯିବାକୁ ବାହାରିବାଟା ବୋକାମି ଛଡ଼ା ଆଉ କ’ଣ !"
ସେ ପର୍ବତ ଚଢ଼ିବାକୁ ଆରମ୍ଭ କରନ୍ତେ ପୁଣି ଜଣେ ଚେଲା ଆସି କହିଲା, “ମହାରାଜ ! ଗୁରୁଦେବ କହୁଛନ୍ତି କି, ଆପଣ ଉପଯୁକ୍ତ ବେଶରେ ଆସନ୍ତୁ ।"
ରାଜା ଅଗତ୍ୟା ତମ୍ବୁକୁ ଫେରିଲେ ଓ ଏଥର ଗେରୁଆ ଲୁଗାପଟା ଯୋଗାଡ଼ କରି ପିନ୍ଧି, ପୁଣି ପର୍ବତ ଚଢ଼ିବାକୁ ଆରମ୍ଭ କଲେ ।
"ମହାରାଜ ! ଗୁରୁଦେବ କହିଲେ କି ଆପଣ ଉପଯୁକ୍ତ ବେଶ ପକାଇ ଆସନ୍ତୁ," ତୃତୀୟ ଚେଲାଟାଏ ତାଙ୍କୁ ଆସି କହିଲା ।
ରାଜା କାନ୍ଦ କାନ୍ଦ ଦେଖାଗଲେ । ମନ୍ତ୍ରୀ ତାଙ୍କ କାନରେ କହିଲେ, "ମହାରାଜ ! ସେ ଉଦ୍ଧତା ସାଧୁକୁ ଏହିକ୍ଷଣି ଧରି ଆଣି ଆପଣଙ୍କ ଆଗରେ ହାଜର କରିଦେବି !"
ରାଜା ଧୀର କଣ୍ଠରେ କହିଲେ, "ମନ୍ତ୍ରୀ ! କେତେ ରାଜା ମହାରାଜାଙ୍କୁ ବନ୍ଦୀ କରି ତ ମୋ ଆଗରେ ତମେ ଓ ସେନାପତି ହାଜର କରିଛ । ଜଣେ ନିରସ୍ତ୍ର, ନିର୍ବାକ୍ ସାଧୁଙ୍କୁ ଧରି ଆଣିବାରେ ବାହାଦୁରି କ’ଣ ?"
ଶିବିର ଭିତରେ ଏକାକୀ ରାଜା ଅଶ୍ରୁରୋଧ କରିପାରିଲେ ନାହିଁ । ବାସ୍ତବିକ, ଆଜିଯାଏ ସେ ନିଜକୁ କେଡ଼େ ପ୍ରଭାବଶାଳୀ, କ୍ଷମତାଶାଳୀ ମନେ କରି ଆସିଥିଲେ । ଇଏ ହେଲା କ’ଣ ? ବେଶ ବୋଇଲେ ସାଧୁ କ'ଣ ବୁଝାଉଛନ୍ତି ? ଯୋଗ୍ୟତା ? ବାସ୍ତବିକ, ସେ କ’ଣ ଜଣେ ସାଧୁଙ୍କୁ ଭେଟିବାକୁ ଯୋଗ୍ୟ ? ସେ ଏ ପ୍ରଶ୍ନ ଉପରେ ଯେତିକି ଚିନ୍ତା କଲେ, ସେତିକି ବିମର୍ଷ ବୋଧ କଲେ । ଅର୍ଥାତ୍ ଜୀବନରେ ସେ ଯେତେ ବିଜୟ ପ୍ରାପ୍ତି କରିଛନ୍ତି, ଯେତେ ମୁଣ୍ଡ କାଟ କରି ତଳେ ଲୋଟାଇ ଦେଇଛନ୍ତି, ସେ ସବୁ ତାଙ୍କୁ ଅନ୍ୟମାନଙ୍କ ଆରେ ବିରାଟ କରି ଥାଇପାରେ, କିନ୍ତୁ ସାଧୁଙ୍କ ଆଖରେ ସେ ଅଯୋଗ୍ୟ !
"ପୁଅ ! ଏ ବେଶରେ ତମେ କେଡ଼େ ସୁନ୍ଦର ଦିଶୁଛ ।"
ଏ ଅପୂର୍ବ କଣ୍ଠସ୍ଵର ରାଜାଙ୍କୁ ଚମକାଇ ଦେଲା । ସେ ଅନାଇବା ବେଳକୁ ତାଙ୍କ ଆଗରେ ଉଭା ସ୍ଵୟଂ ସନ୍ନ୍ୟାସୀ ।
ରାଜା ତାଙ୍କ ପାଦରେ ଲୋଟିଗଲେ । ସନ୍ନ୍ୟାସୀ ତାଙ୍କୁ ଉଠାଇ କୁଣ୍ଢାଇ ପକାଇ କହିଲେ “ହୃଦୟରେ ଏହିଭଳି ନମ୍ରତା ବୋଧଠୁଁ ବଳି ସୁନ୍ଦର ସାଜ ଆଉ କିଛି ନାହିଁ " ।
"ମହାଭାଗ ! ମୁଁ କେଡ଼େ ମୂର୍ଖ ଥିଲି ! ରାଜ୍ୟ ପରେ ରାଜ୍ୟ ଜୟ କରି ନିଜକୁ ଗୌରବାନ୍ୱିତ ବୋଧ କରୁଥିଲି ।" ରାଜା ମୃଦୁକଣ୍ଠରେ କହିଲେ ।
“ହଁ ବତ୍ସ ! ସେ ଗୌରବବୋଧ ଅଜ୍ଞାନପ୍ରସୂତ । ଆଜି ତମେ ଜ୍ଞାନର ଉଷାଲୋକରେ ଉପନୀତ ।” ସନ୍ୟାସୀ ରାଜାଙ୍କୁ ଆଶୀର୍ବାଦକରି ବୁଲିପଡ଼ି ଚାଲିଗଲେ ।
ଲେଖକ ପରିଚୟ
ଶ୍ରୀ ମନୋଜ ଦାସ ୧୯୩୪ ମସିହା ଫେବୃଆରୀ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଅତିବଡ଼ୀ ପୁରସ୍କାରପ୍ରାପ୍ତ ଲେଖକ ମନୋଜ ଦାସ ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି । ଆରଣ୍ୟକ, ସମୁଦ୍ରର କ୍ଷୁଧା, ବିଷକନ୍ୟାର କାହାଣୀ, ଲକ୍ଷ୍ମୀର ଅଭିସାର, ଧୂମ୍ରାଭ ଦିଗନ୍ତ, ଉପକଥା ଶତକ, ମନୋଜ ଦାସଙ୍କ କଥା ଓ କାହାଣୀ, ଅବୋଲକରା କାହାଣୀ, ମନୋଜ ପଞ୍ଚବିଂଶତି, ଦୂରଦୂରାନ୍ତର, ଅମୃତ ଫଳ, ଗୋଧୂଳି ବାଘ, ଚନ୍ଦ୍ରାଲୋକର ପ୍ରହରୀ ପ୍ରଭୃତି ଲେଖିକଙ୍କର ଅନବଦ୍ୟ ସୃଷ୍ଟି ଓଡ଼ିଆ ସାହିତ୍ୟ ଜଗତକୁ ପରିପୁଷ୍ଟ କରିଛି ।
No comments:
Post a Comment